ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପ୍ରେମ ଦୁନିଆରେ ପାଦ ଥାପିଥିବା ଦୁଇ ପକ୍ଷୀ ଆଜି ହାରିଯାଇଥିବା ଜଣାପଡିଛି । ଯାହାଫଳରେ ଉଭୟ ପକ୍ଷୀଙ୍କ ପ୍ରେମ ଏବେ ସମୁଦ୍ରକୂଳରେ ପଡିଥିବା ଦେଖିବାକୁ ମିଳିଛି । ପ୍ରେମରେ ଦୁହେଁ ଦୁହିଁକୁ ଛାଡି ରହି ପାରୁନଥିବା ବେଳେ ୪ଦିନ ତଳେ ଘରୁ ନିଖୋଜ ହୋଇଗଲେ । ହେଲେ ଉଭୟଙ୍କ ମୃତ ଶରୀର ସମୁଦ୍ର କୂଳରେ ପଡିଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଶରୀରରେ କ୍ଷତ ସ୍ଥାନ ଥିବାରୁ ତାଙ୍କୁ ହତ୍ୟାକରିଥିବା ସନ୍ଦେହ କରାଯାଇଛି । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଓସ୍ତା ଗାଁର ପ୍ରଶାନ୍ତ ପାତ୍ର ଭୁବନେଶ୍ୱର ସ୍ଥିତ ରାଜଧାନୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ଦ୍ୱିତୀୟ ବର୍ଷର ନାମ ଲେଖାଇଥିଲେ । ଭୁବନେଶ୍ୱରରେ ରହି ପାଠ ପଢୁଥିଲେ । ଛୁଟି ଦେଖି ମଝିରେ ମଝିରେ ଗାଁକୁ ବୁଲିବାକୁ ଯାଇଥାନ୍ତି । ଯିବା ଆସିବା ଭିତରେ ପଟ୍ଟାମୁଣ୍ଡାଇର ପୂର୍ଣ୍ଣିମା ମହାନ୍ତିଙ୍କ ସହିତ ଦେଖା ହୁଏ । ଦେଖା ଚାହାଁରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠେ । ତେଣୁ ଉଭୟ ବିବାହ କରିବାକୁ ମନସ୍ଥିର କରିଥିଲେ ମଧ୍ୟ ପରିବାର ଲୋକ ରାଜି ନଥିଲେ । ତେଣୁ ୪ଦିନ ତଳେ ଘରୁ ଉଭୟ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପ୍ରଶାନ୍ତଙ୍କ ପରିବାର ଲୋକ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ସେହିପରି ପୂର୍ଣ୍ଣିମାଙ୍କ ପରିବାର ମଧ୍ୟ ପଟ୍ଟାମୁଣ୍ଡାଇ ଥାନାରେ ଝିଅ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ । ଉଭୟ ଥାନାର ପୁଲିସ ଖୋଜି ଥିଲେ ମଧ୍ୟ ପାଇନଥିଲେ । ବନ ବିଭାଗ ପକ୍ଷରୁ ରାଜନଗର ପେଣ୍ଠ ସମୁଦ୍ର କୂଳରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ମୃତ ଶରୀର ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଦୁଇଟି ଶବ ଚିହ୍ନଟ କରିବା ପରେ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ପୁଲିସର ପ୍ରାଥମିକତା ତଦନ୍ତରୁ ଉଭୟଙ୍କୁ ହତ୍ୟାକରା ଯାଇଥିବା ନେଇ ସନ୍ଦେହ କରାଯାଇଛି । ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।






