ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ରାତି ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ଆଜି ରାଜ୍ୟରେ ତାତିିର ପ୍ରକୋପ କିଛିଟା କମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଅପରାହ୍ନରୁ ଆସନ୍ତାକାଲି (ଶନିବାର) ମଧ୍ୟାହ୍ନ ମଧ୍ୟରେ ରାଜ୍ୟର ୨୭ଟି ଜିଲ୍ଲାରେ ମଧ୍ୟମ ବର୍ଷା ଓ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଜାରି ସତର୍କ ସୂଚନା ମୁତାବକ ଆଜି (ଶୁକ୍ରବାର) ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା, କାନ୍ଧମାଳ ଓ କେନ୍ଦୁଝର ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ହାଲୁକା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିସହ ମୟୂରଭଞ୍ଜ, ସୁନ୍ଦରଗଡ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।






