ପୁରୀ ,(ବାଘୁଆବାର୍ତ୍ତା): ପୁରୀ ଶ୍ରୀମନ୍ଦିର ନିକଟରେ ଖୋଲିବ ଫାଷ୍ଟ-ଏଡ ସେଣ୍ଟର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଫାଷ୍ଟ-ଏଡ ସେଣ୍ଟରଟି ସମ୍ପୁର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ଇଣ୍ଟରମୋଡାଲ କଣ୍ଟେନରରେ ପ୍ରତିଷ୍ଠା ହେବ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ, ସେବାୟତ ଓ ମନ୍ଦିର କର୍ମଚାରୀଙ୍କ କୌଣସି ପ୍ରକାର ଜରୁରୀ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଲେ ତୁରନ୍ତ ଏହି ଫାଷ୍ଟ-ଏଡ ସେଣ୍ଟରରେ ଚିକିତ୍ସା ସୁବିଧା ପାଇପାରିବେ । ଜରୁରୀ ପରିସ୍ଥିତିରେ ଏହି ଫାଷ୍ଟ-ଏଡ ସେଣ୍ଟରରୁ ଅତ୍ୟାଧୁନିକ ସୁବିଧା ଥିବା ମେଡିକାଲକୁ ସ୍ଥାନାନ୍ତର କରାଯାଇପାରିବ । ଏହି ସେଣ୍ଟରରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତରୀ କର୍ମଚାରୀ ଓ ଔଷଧ ଗଛିତ ରହିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହାୟତାରେ ଏଠାରେ ଔଷଧ ଗଛିତ ରଖାଯିବ । ଏପରିକି ଏହି ସେଣ୍ଟରେ ଉଭୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତି ପାଇବେ । ଆସନ୍ତା ୧୪ ତାରିଖ ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଏହି ଫାଷ୍ଟ-ଏଡ ସେଣ୍ଟରର ଉଦଘାଟନ କରାଯିବ ।






