ଭୁବନେଶ୍ବର,(ବାଘୁଆବାର୍ତ୍ତା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ନେଇ ସ୍ଥିତିର ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲା ଗୁଡ଼ିକରେ କରୋନା ଭାଇରସ ସଂକ୍ରମଣ ଅଧିକ ସକ୍ରିୟ ଥିବାରୁ ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସ୍ଥିତି ପର୍ଯ୍ୟବେକ୍ଷଣ ଲାଗି ପଶ୍ଚିମ ଓଡ଼ିଶା ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ କରୋନାର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପଶ୍ଚିମ ଓଡ଼ିଶାକୁ ତୁରନ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପଠାଇବାକୁ ନିର୍ଦ୍ଦେଶ ଦେବା ସହ କରୋନା ମୁକାବିଲା ପାଇଁ ହସ୍ପିଟାଲ ଭିତ୍ତିଭୂମି ଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍ର ଏହି ଲହର ଅତି ସଂକ୍ରାମକ। ତେଣୁ ସତର୍କ ନରହିଲେ ଏହା ବିପଦ ବଢ଼ାଇପାରେ। କରୋନା ବିପକ୍ଷରେ ବିଜୟ ହେବାକୁ ହେଲେ ବ୍ୟକ୍ତିଗତ ଓ ସାମୂହିକ ଭାବେ କଟକଣାକୁ କଡ଼ାକଡ଼ି କରିବାର ଆବଶ୍ୟକତା ଅଛି। ମୁଖ୍ୟମନ୍ତ୍ରୀ କୋଭିଡ ନିୟମ ପାଳନ କରିବାକୁ କହିଛନ୍ତି। ଏବେ ଢିଲାପଣ ହେବାର ସମୟ ନୁହେଁ। କାରଣ ଅତୀତରେ ଅନେକ ଜୀବନ ବାଜିରେ ଲାଗିଛି।






