ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ମହାରାଷ୍ଟ୍ରର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ଶ୍ରୀ ଦେଶମୁଖ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅନୀଲ ଦେଶମୁଖ ଇସ୍ତଫା ଦେଇଛନ୍ତି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସୋମବାର ଦିନ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ମୁତାବକ ୧୦୦ କୋଟି ଟଙ୍କା ଆଦାୟ ମାମଲାର ଯାଞ୍ଚ କରିବ ସିବିଆଇ । ଯାଚିକା ଉପରେ ନିଷ୍ପତ୍ତି ଶୁଣାଇବା ବେଳେ କୋର୍ଟ କହିଛନ୍ତି କି, ଏହି ମାମାଲାରେ ଏଫ୍ଆଇଆର ହୋଇଛି ଓ ପୋଲିସ ଦ୍ୱାରା ଯାଞ୍ଚ କରିବାକୁ ଅପିଲ କରାଯାଇଥିଲା । କୋର୍ଟ ଆହୁରି କହିଛନ୍ତି କି, ଅନୀଲ ଦେଶମୁଖ ରାଜ୍ୟର ଗୃହମନ୍ତ୍ରୀ ହୋଇଥିବାରୁ ଏହି ମାମଲାର ନିରପକ୍ଷ ଯାଞ୍ଚ ପାଇଁ ପୋଲିସ ଉପରେ ଭରଶା କରାଯାଇ ପାରିବ ନାହିଁ । ତେଣୁ ସିବିଆଇକୁ ଏହି ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଗଲା । ବମ୍ବେ ହାଇକୋର୍ଟଙ୍କ ନିଷ୍ପ ି ମୁତାବକ ସିବିଆଇ ଏହି ମାମଲାର ପ୍ରାଥମିକ ଯାଞ୍ଚ କରିବା ଦରକାର । ଯାଞ୍ଚ ବେଳେ ସମସ୍ତ ପକ୍ଷ ସିବିଆଇକୁ ସହଯୋଗ କରିବେ । ୧୫ ଦିନ ମଧ୍ୟରେ ସିବିଆଇ ନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଏହି ରିପୋର୍ଟ ଆଧାରରେ ସିବିଆଇ ଯଦି ଅନୁଭବ କରିବ କି ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁହେବା ଦରକାର ତେବେ ସିବିଆଇ ଏଫଆଇଆର ଲଞ୍ଚ କରିବ ।






