ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲା ଗସ୍ତ କରି ସୁରକ୍ଷା ସଂକ୍ରାନ୍ତୀୟ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜି ପୂର୍ବାହ୍ନ ୯ଟା ସମୟରେ ପ୍ରଥମେ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ସେଠାରେ ଅପରାଧ, ଅପରାଧୀ ଦମନ ଏବଂ ମାଓବାଦୀ ଦମନ ସଂକ୍ରାନ୍ତରେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମାଓ ଦମନ ଅଭିଯାନକୁ ତ୍ୱରାନ୍ୱିତ କରିବା ସହ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଡିଜିପି ଆହ୍ୱାନ ଜଣାଇଥିଲେ । ଡିଜିପ ଯୋଡ଼ାମ୍ବ ଥାନା ସ୍ୱାଭିମାନ ଅଂଚଳର ହନ୍ତାଳଗୁଡ଼ା, ଯୋଡ଼ାମ୍ବ, ଗୁରାସେତୁ ଏବଂ ଅଣ୍ଡ୍ରାହଲ୍ ଭଳି ମାଓ ଉପଦ୍ରୁତ ଅଂଚଳ ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ଏହା ସହ ସ୍ୱାଭିମାନ ଅଂଚଳରେ ଚାଲିଥିବା ବିକାଶର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସଂକ୍ରାନ୍ତରେ ମଧ୍ୟ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ଅବସରରେ ଡିଜିପି ଅଭୟ ଏମ୍ଭି-୨ରେ ନୂତନ ଭାବେ ନିର୍ମିତ ହୋଇଥିବା ଏସ୍ଡିପିଓ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ । ସେହିପରି କୋରାପୁଟ ଓ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ଉପରୋକ୍ତ ଜିଲ୍ଲାମାନଙ୍କରେ ଜନସାଧାରଣଙ୍କ ନିମନ୍ତେ ପାନୀୟ ଜଳ, ରାସ୍ତାଘାଟ ନିର୍ମାଣ, ସ୍ୱାସ୍ଥ୍ୟ ସମ୍ପର୍କିତ ଏବଂ ଜନସାଧାରଣଙ୍କ ନିମନ୍ତେ ଲାଗୁ ହୋଇଥିବା ସରକାରୀ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଥିଲେ । ଏହି ତିନିଜିଲ୍ଲାକୁ ଗସ୍ତ ସମୟରେ ଡିଜିପି ଶ୍ରୀ ଅଭୟ କୋଭିଡ୍ ବିରୁଦ୍ଧରେ ଲଢେଇ କରି ପ୍ରାଣବଳି ଦେଇଥିବା ପୋଲିସ କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ଏବଂ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପୋଲିସ୍ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରିଥିଲେ । ମାଲକାନଗିରି ଜିଲ୍ଲାର ଏସ୍ପି କ୍ଷିଲାରୀ ଋିଷିକେଶ ଦ୍ୟାନଦେଓଙ୍କ ସମେତ ମୋଟ ୩୦ଜଣଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲାରେ ୫ ଜଣ କୋରାନା ଯୋଦ୍ଧାଙ୍କ ପରିବାର ବର୍ଗ ଏବଂ ୧୬ ଜଣ ପୋଲିସ୍ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯାଇଛି । କନ୍ଧମାଳ ଜିଲ୍ଲାରେ ୪ କୋରାନା ଯୋଦ୍ଧାଙ୍କ ପରିବାର ସମେତ ୨୭ଜଣ ପୋଲିସ୍ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯାଇଥିଲା । ଡିଜିପିଙ୍କ ଗସ୍ତ ସମୟରେ ଇଂଟେଲିଜେନ୍ସ ନିର୍ଦ୍ଦେଶକ ଆର୍.କେ.ଶର୍ମା, ଏଡିଜିପି ହେଡ୍କ୍ୱାର୍ଟସ୍ ଲଳିତ ଦାସ, ଆଇ.ଜି ଅପରେସନ୍ ଅମିତାଭ ଠାକୁର, ଅନିରୁଦ୍ଧ ସିଂ, ଡିଆଇଜିଏସ୍.ଆଇ.ଡବ୍ଲୁୃ୍ୟ, ଦକ୍ଷିଣାଂଚଳ ଡିଆଇଜି ରାଜେଶ ପଣ୍ଡିତ୍ଙ୍କ ସମେତ ମାଲକାନଗିରି, କୋରାପୁଟ ଓ କନ୍ଧମାଳର ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ ।






