ନୟାଗଡ଼,(ବାଘୁଆବାର୍ତ୍ତା): ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଶିକ୍ଷିତ ସରପଞ୍ଚ ଇଂ ସୈାମ୍ୟ ରଞ୍ଜନ ପ୍ରଧାନ ୱାର୍ଡ଼ ସଭ୍ୟଙ୍କୁ ଅଯୋଗ୍ୟ ଓ ପାଗଳ ବୋଲି ଅଭିହିତ କରିଥିବା ବେଳେ ଆଜି ଛେଳି ମେଣ୍ଢା ବୋଲି ଭାବି ନେଇଛନ୍ତି । ୱାର୍ଡ଼ ସଭ୍ୟଙ୍କୁ ବିକାକିଣା କରାଯାଇଥିବାରୁ ମିଛୁଆ ସରପଞ୍ଚ ଅଭିଯୋଗ ଆଣିଛନ୍ତି । ୪ ବର୍ଷ କାଳ ସରପଞ୍ଚଙ୍କ ସହିତ କାମ କରିବା ପରେ ଆଜି କାହିଁକି ୱାର୍ଡ଼ ସଭ୍ୟମାନେ ସରପଞ୍ଚଙ୍କ ବିରୁଦ୍ଧରେ ଯାଇଛନ୍ତି, ତାହାର ଆତ୍ମ ସମୀକ୍ଷା କରିବା ବଦଳରେ ସରପଞ୍ଚ ୱାର୍ଡ଼ ସଭ୍ୟଙ୍କୁ ପରୋକ୍ଷରେ କୁତ୍ସାରଟନା କରିବା ତାଙ୍କର ପାରିବା ପଣିଆ ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀର୍ଘ ୪ ବର୍ଷ ମଧ୍ୟରେ ୱାର୍ଡ଼ ସଭ୍ୟଙ୍କୁ ଗୈାଣ କରି ସବୁ ଚଳୁ କରିବାର ଏହା ଫଳ ବୋଲି ଆଲୋଚନା ହେଉଛି । ସୂଚନାନୁସାରେ, ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୈାମ୍ୟ ରଞ୍ଜନଙ୍କ ବିରୁଦ୍ଧରେ ଆସିଛି ଅନସ୍ଥା ପ୍ରସ୍ତାବ । ଗତ ୨୬ ତାରିଖରେ ପଞ୍ଚାୟତର କେତେକ ୱାର୍ଡ଼ ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ଗତ ୩୦ ତାରିଖରେ ସରପଞ୍ଚ ସୈାମ୍ୟଙ୍କ ପାଖକୁ ନୋଟିସ କରାଯାଇଛି । ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ ଧାରା ୨୪ ଅନୁସାରେ, ଉକ୍ତ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ବୈଠକ କରିବାକୁ ସ୍ଥିର କରାଯାଇଛି । ଆସନ୍ତା ୨୦ ତାରିଖରେ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ସଭାପତିତ୍ୱରେ ଏହି ବୈଠକ କରାଯିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି । ସମସ୍ତ ୱାର୍ଡ଼ ସଭ୍ୟ ଉପସ୍ଥିତ ରହି ନିଜର ମତଦାନ ସାବ୍ୟସ୍ତ କରିବାକୁ ନୋଟିସ୍ରେ ଉଲ୍ଲେଖ ରହିଛି । ମାତ୍ର ସରପଞ୍ଚ ନୋଟିସ ପାଇବା ପରେ ଆରମ୍ଭ କରିଛନ୍ତି ବୟାନବାଜୀ । ନିଜର ଅପାରଗତା, ରାସନ ଘୋଟାଲା, କମ କାମକୁ ଅଧିକ ବିଲ କରିବା ଆଦି ଦୁର୍ନିତୀକୁ ଲୁଚାଇବା ପାଇଁ ଚେଷ୍ଟା କରିଛନ୍ତି । ୱାର୍ଡ଼ସଭ୍ୟମାନେ ଏସବୁ ଦୁର୍ନିତୀର ଏବେ ତଦନ୍ତ ଦାବି କରିଛନ୍ତି । ସରପଞ୍ଚ ପଞ୍ଚାୟତରେ କରିଥିବା ଘୋଟଲାର ଏକ କମିଟି ଗଠନ କରାଯାଇ ତଦନ୍ତ କରିବାକୁ ୱାର୍ଡ଼ ସଭ୍ୟମାନେ କହିଛନ୍ତି ।






