ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଚଳିତ ଏପର୍ଯ୍ୟନ୍ତ ରୋଷେଇ ଗ୍ୟାସ (ଏଲପିଜି) ମୂଲ୍ୟ ପ୍ରାୟ ୧୨୫ ଟଙ୍କା ବଢିଥିବା ବେଳେ ଆଜି ପ୍ରଥମ ଥର ପାଇଁ ଦର ହ୍ରାସ ପାଇଛି । ଏଲପିଜି ଦର ସିଲିଣ୍ଡର ପିଛା ମାତ୍ର ୧୦ ଟଙ୍କା ହ୍ରାସ ପାଇଛି । ଏହି ଦର ଏପ୍ରିଲ ୧ରୁ ଲାଗୁ ହେବ । ଏଣୁ ଏହି ସାମାନ୍ୟ ପରିମାଣର ହ୍ରାସ ସାଧାରଣ ଖାଉଟିଙ୍କୁ ଯେ ଆଶ୍ବସ୍ତ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ହ୍ରାସ ପରେ ଦିଲ୍ଲୀରେ ଏକ ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କାକୁ ହ୍ରାସ ପାଇବ । ସେହିପରି କୋଲକତାରେ ଏହା ଟ.୮୩୫କୁ ହ୍ରାସ ପାଇବ ।ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ଦର ବୃଦ୍ଧି ଯୋଗୁଁ ତେଲ କମ୍ପାନିମାନେ ଗତ ମାର୍ଚ୍ଚ ମାସ ପହିଲାଠାରୁ ଏଲପିଜି (୧୪.୨ କିଗ୍ରା) ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରିଥିଲେ । ସେହିପରି ଫେବ୍ରୁଆରି ମାସରେ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ବୃଦ୍ଧି ପାଇଥିଲା । ଗତ ବର୍ଷ ଡିସେମ୍ବର ମାସରେ ମଧ୍ୟ ଏଲପିଜି ଦର ଦୁଇଥର ବଢିଥିଲା । ଏବେ ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଉଥିବାରୁ ପେଟ୍ରୋଲ, ଡିଜେଲ ଦର କମିବା ଆରମ୍ଭ କରିଛି । ସେହିପରି ଗ୍ୟାସ ଦର ମଧ୍ୟ ଆଗକୁ କମିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।






