ଓଡ଼ଗାଁ,(ବାଘୁଆବାର୍ତ୍ତା):ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତର ପ୍ରଜାପିତା ବ୍ରହ୍ମକୁମାରୀ ସଂସ୍ଥା ଓ ଓଡ଼ଗାଁ ବନବିଭାଗ ତରଫରୁ ଆଜି ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡ଼ାକବାଜି ଯନ୍ତ୍ର ଓ ପ୍ଲାକାର୍ଡ ଧରି ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ପ୍ରଚାରଗାଡି ସହ ବିଭିନ୍ନ ପଞ୍ଚାୟତ ଓ ଗାଁ ପରିକ୍ରମା କରି ଜଙ୍ଗଲ ସୁରକ୍ଷା ପାଇଁ ଆହ୍ୱାନ ଦିଆଯାଇଥିଲା । ରୋହିବାଙ୍କ, ଭଗବତୀ ପ୍ରସାଦ, ମହେଶ୍ୱରପୁର, ଉଦୟପୁର, କୋମଣ୍ଡ, ନରସିଂହପ୍ରସାଦ, ନାଉଖାଲ, ଧନୁର୍ଜୟପୁର, ହଳନ୍ଦାପଲ୍ଲୀ, ବାଣ୍ଠପୁର ପଞ୍ଚାୟତର ଜୟମଙ୍ଗଳ ପ୍ରସାଦ,କଦମ୍ବଝର ଓ ବାଘୁଆ ଛକ ସମେତ ପ୍ରାୟ ୨୦ଖଣ୍ଡ ଗାଁ ପରିକ୍ରମା କରିଥିଲା ଏହି ସଚେତନତା ରାଲି ।ଏହା ସହିତ ଜଙ୍ଗଲ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଏକତ୍ର କରି କିପରି ଭାବେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରାଯାଇପାରିବ ସେ ନେଇ ଜନସାଧାରଣଙ୍କୁ ବୁଝାଇଥିଲେ।ପରିବେଶ ସଚେତନତା ପ୍ରତ୍ୟେକ ମଣିଷର ମୌଳିକ କର୍ତ୍ତବ୍ୟ ଏବଂ ଯୁବ ପିଢ଼ିମାନଙ୍କ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି କରାଯାଇପାରିବ ବୋଲି ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ. ଡି କହିଥିଲେ ।ଆଜିର କାର୍ଯ୍ୟକ୍ରମରେ ନୃସିଂହନାଥ ଯୁବକ ସଂଘ ନରସିଂହ ପ୍ରସାଦ ,ପରିବେଶ ସାଥି କୁରାଳ,ମା ପାଣିଷଣ୍ଢ ୟୁଥ କ୍ଲବ ଦଣ୍ଡୋରର ସ୍ବେଚ୍ଛାସେବୀମାନେ ଯୋଗଦେଇଥିବା ବେଳେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ, ବନପାଳ ଜ୍ୟୋତି ରଞ୍ଜନ ମାନସିଂ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।ପରିବେଶବିତ ସୁକାନ୍ତ ଚୌଧୁରୀ ,ଶାନ୍ତନୁ ବିଶୋଇ ଓ ରୋହିବାଙ୍କ ସରପଞ୍ଚ ମୁରଲୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ. ଡି ଘଟଣା ସ୍ଥଳରେ ପହଞ୍ଚି ଆୟୋଜକଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ଜଙ୍ଗଲସୁରକ୍ଷା ପାଇଁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।






