ନୟାଗଡ଼,(ବାଘୁଆବାର୍ତ୍ତା): ଖୋର୍ଦ୍ଧା ରୋଡ଼ଠାରୁ ନୟାଗଡ଼ ଟାଉନ ରେଳ ଷ୍ଟେସନ ପର୍ଯ୍ୟନ୍ତ ବିଦ୍ୟୁତ କରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି । ଏହାର ଚୂଡ଼ାନ୍ତ ଅନୁଧ୍ୟାନ ପାଇଁ ପୂର୍ବତଟ ରେଳପଥ ମୁଖ୍ୟ ନିରାପତ୍ତା କମିଶନ ଏ.ଏମ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ ସୋମବାର ଦିନ ନୟାଗଡ଼ ଗସ୍ତରେ ଆସି ବିଦ୍ୟୁତକରଣ କାର୍ଯ୍ୟର ସବିଶେଷ ଯାଞ୍ଚ କରି ଫେରିଯାଇଛନ୍ତି । କମିଶନଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ଆସନ୍ତା ୧୩ ତାରିଖରୁ ବିଦ୍ୟୁତ ଚାଳିତ ଏକ ସ୍ୱତନ୍ତ୍ର ଟ୍ରେନ(ସେବା ଏକ୍ସପ୍ରେସ) ଭୁବନେଶ୍ୱର ନୟାଗଡ଼ ମଧ୍ୟରେ ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ନୟାଗଡ଼ ରେଳ ଷ୍ଟେସନରେ ବିଦ୍ୟୁତକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଥିବାବେଳେ ନୟାଗଡ଼ରୁ ଅଧିକ ସଂଖ୍ୟକ ଟ୍ରେନ ଚଳାଚଳର ଆବଶ୍ୟକତା ରହିଛି । କାରଣ ନୟାଗଡ଼ ଜିଲ୍ଲାରୁ ଅଧିକାଂଶ ଲୋକ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଦୈନିକ ଯା’ଆସ କରିଥାନ୍ତି । ତେବେ ଯାତାୟତର ବିଶେଷ ସୁବିଧା ନଥିବାରୁ ଲୋକମାନେ ବାହାରକୁ ଯିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାସହ ଅଯଥା ଖର୍ଚ୍ଚାନ୍ତ ହୋଇଥାନ୍ତି । ଏହି ଅବସରରେ ଭାରତ ବିକାଶ ପରିଷଦ,ନୟାଗଡ଼ ଶାଖା ପକ୍ଷରୁ ଏ ନେଇ ଏକ ଦାବିପତ୍ର ପୂର୍ବତଟ ରେଳପଥର ଆଞ୍ଚଳିକ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧାରୋଡ଼ ଡିଭିଜନ ମ୍ୟାନେଜର ଏସକେ ସିଂଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ସେବା ଏକସପ୍ରେସକୁ ନୟାଗଡ଼ରୁ ପାରାଦୀପ ପର୍ଯ୍ୟନ୍ତ ବର୍ଦ୍ଧତ କରିବା ,ନୟାଗଡ଼ରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳଲାଇନ କାର୍ଯ୍ୟ ଶ୍ରୀଘ୍ର ସଂପୂର୍ଣ୍ଣ କରିବା ତଥା ନୟାଗଡ଼ରୁ ଓଡ଼ିଶା ବାହାରକୁ ଟ୍ରେନ ଚଳାଚଳ କରିବା ଏବଂ ନୟାଗଡରୁ଼ ଭୁବନେଶ୍ୱର,କଟକ ଓ ପୁରୀ ମଧ୍ୟରେ ଅଧିକ ପାସେଞ୍ଜର ଟ୍ରେନ ଚଳାଚଳ ଆଦି ଅନ୍ତର୍ଭୁକ୍ତ । ଭାରତ ବିକାଶ ପରିଷଦ ପକ୍ଷରୁ ଏହାର ସଚିବ ପ୍ରଦୀପ କୁମାର ସାହୁଙ୍କ ସମେତ ଲକ୍ଷ୍ମୀଧର ସାହୁ, ଶେଖ ଅବଦୁଲ ଖାଲିକ, ଅଶୋକ କୁମାର ମଲ୍ଲ, ପ୍ରଫୁଲ କୁମାର ବେହେରା, ପ୍ରଫୁଲ କୁମାର ନାୟକ, ଶରତ ମହାପାତ୍ର, ଲକ୍ଷ୍ମୀଧର ଦାସ ପ୍ରମୁଖ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ ।






