ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାର କୋଭିଡ୍-୧୯ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଏପ୍ରିଲ୍ ମାସ ପାଇଁ କଟକଣା ଜାରି କରିଛନ୍ତି । ଏପ୍ରିଲ ମାସରେ ବହୁ ଯାନୀଯାତ୍ରା ପର୍ବ ପଡୁଥିବାରୁ ବହୁ ଜନସମାଗମ ହେବାର ସମ୍ଭାବନା ରହିଛି । ଏହି ମାସରେ ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡନୃତ୍ୟ, ରାମ ନବମୀ ପରି ଅନେକ ଯାନିଯାତ୍ରା ପଡୁଥିବାରୁ ଜିଲ୍ଲାପାଳ କୋଭିଡ୍-୧୯ କଟକଣା ଜାରି କରିଛନ୍ତି । କୋଭିଡ୍-୧୯ର ଯେପରି ବୃଦ୍ଧି ନପାଇବ ସେଥିପାଇଁ ଜିଲ୍ଲାପାଳ ସାଧାରଣ ଜନତାଙ୍କୁ ନିବେଦନ କରିବା ସହିତ ବହୁ ସଂଖ୍ୟକ ଲୋକ ଏକାଠି ନହେବା ପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତ ପର୍ବପର୍ବାଣୀକୁ ସଂପୂର୍ଣ୍ଣ ବନ୍ଦ କରିବା ନିର୍ଦ୍ଦେଶ ଦେବା ସହ କୋଭିଡ୍-୧୯ ନିୟମ ମାନି ୫୦ଜଣ ଭିତରେ ମନ୍ଦିର ମସଜିଦ୍ ଓ ବିଭିନ୍ନ ଦେବାଦେବୀ ପୀଠ ଚାଲୁ କରିବା ସହିତ ସଂପୂର୍ଣ୍ଣ ସାମାଜିକ ଦୂରତା, ସାନିଟାଇଜ୍ କରିବା, ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରିଛନ୍ତି । ଏଥି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚଗୀତ, ଡ୍ରାମା, ଡିଜେ, ଅପେରାକୁ ପୁରା ନିସିଦ୍ଧ କରାଯାଇଛି । ସଂପୃକ୍ତ ତହସିଲଦାର, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ କଲେ ଦଣ୍ଡନୀୟ ଦର୍ଶାଯିବ ।






