ଭୁବନେଶ୍ୱର,(ବାଘୁଆବାର୍ତ୍ତା): ସ୍ତ୍ରୀ ପୋଛିଲା ନିଜ ସିନ୍ଦୂର । ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ । ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ସାମ୍ବାଇ ପଞ୍ଚାୟତର ମଶାଣୀଗୁଡା ଗ୍ରାମର ଜଙ୍ଗଲରେ । ସୂଚନାନୁସାରେ, କୋଟିଆ ପଞ୍ଚାୟତର ଟାଉପଦର ଗ୍ରାମର ସୁନ୍ଦୁରୁ ହାନ୍ତାଳ ସ୍ତ୍ରୀ କୁଜି ହନ୍ତାଳଙ୍କ ସହ ସାମ୍ବାଇ ପାଞ୍ଚାୟତର ମଶାଣୀଗୁଡା ଗ୍ରାମରେ ଥିବା ନିଜର ବନ୍ଧୁଙ୍କ ଘରକୁ ଆସିଥିଲେ । ଶନିବାର ସୁନ୍ଦୁରୁ ହନ୍ତାଳଙ୍କ ମୃତଦେହ ମଶାଣୀଗୁଡା ନିକଟସ୍ଥ ଜଙ୍ଗଲ କୁଡୁମା ପାହାଡରେ ପଡିରହିଥିବା ନେଇ ସୂଚନା ମିଳିଥିଲା। ମୃତକଙ୍କ ପରିବାରବର୍ଗ ଘଟଣାସ୍ଥଳକୁ ପହଞ୍ଚି ଦେଖିଲା ବେଳକୁ ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏପରିକି ବେକରେ ରସି ଚିହ୍ନ ରହିଥିବା ଏବଂ ଗୁପ୍ତାଙ୍ଗରେ ମଧ୍ୟ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ସୁନ୍ଦୁରୁଙ୍କ ପରିବାରବର୍ଗ ପଟାଙ୍ଗି ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଏହାପରେ ଥାନା ଅଧିକାରୀ କୈବଲ୍ୟ ସେଠିଙ୍କ ସହ ଏଏସଆଇ ସୁବାସ ନାୟକ ଏବଂ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ କରିବା ନିମନ୍ତେ ପଠାଇଛନ୍ତି। ମୃତ ବ୍ୟକ୍ତିଙ୍କ ସ୍ତ୍ରୀ କୁଜି ହନ୍ତାଳ ନିଜେ ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।






