ନୟାଗଡ଼,(ବାଘୁଆବାର୍ତ୍ତା): ନେହେରୁ ଯୁବ କେନ୍ଦ୍ର ସହାୟତାରେ ଆଦର୍ଶବାଦୀ ୟଙ୍ଗଷ୍ଟାର୍ କ୍ଳବ୍ ଓ ରାଇଜିଂ ୟୁଥ କ୍ଳବର ମିଳିତ ଆନୁକୂଲ୍ୟରେ ପଡୋଶୀ ଯୁବ ସଂସଦ କାର୍ୟ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର ଯୋଗ ଦେଇ ଯୁବକଙ୍କୁ ନିଜର ଉର୍ଜା ବୃଦ୍ଧି ଦିଗରେ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବଂଶୀଧର ମହାବିଦ୍ୟାଳୟର ଅଧ୍ୟକ୍ଷ ହର ପ୍ରସାଦ ରଣସିଂ “କନ୍ୟା ଭୃଣ ହତ୍ୟା – ଏକ ସାମାଜିକ ବ୍ୟାଧି” ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଶରତ ଆଚାର୍ୟ୍ୟ ଯୋଗ ଦେଇ ବାଲ୍ୟ ବିବାହ ପ୍ରଥା ରୋକିବା ଦିଗରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଅଶୋକ ନାୟକ ପରିବାର ନିୟନ୍ତ୍ରଣ କିପରି ହୋଇ ପାରିବ ଓ ସୁଖୀ ପରିବାର ଗଠନ ପାଇଁ କଣ କଣ ପଦକ୍ଷେପ ନେବାକୁ ହେବ ସେ ଦିଗରେ ଆଲୋଚନା କରିଥିଲେ। ଏହି କାର୍ୟ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ଦିଲ୍ଲୀପ ସାହୁ ଓ ଶିକ୍ଷାବିତ୍ ଗୌରଙ୍ଗ ପ୍ରଧାନ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମକୁ ଅନନ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା ଆଶୁତୋଷ ଦାସ ପରିଚାଳନା କରିଥିଲେ, କ୍ଲବର ସଂପାଦକ ସତ୍ୟବ୍ରତ ମହାରଣା ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଯୁବକମାନଙ୍କୁ ନେଇ ଏକ ତର୍କ କାର୍ୟ୍ୟକ୍ରମ ଓ କୁଇଜ କାର୍ୟ୍ୟକ୍ରମ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।






