ଓଡ଼ଗାଁ,(ବାଘୁଆବାର୍ତ୍ତା)ଜୟଶ୍ରୀ ପାଣିଷଣ୍ଢ ଯୁବସଂସଦ ଆନୁକୂଲ୍ୟରେ ଏକ ଜଙ୍ଗଲ ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଥିଲା। ମାତୃଭୂମି କୁରାଳର ସକ୍ରିୟ ସଭ୍ୟ ପାଣୁ ଚରଣ ଖଟେଇ, ବିରଞ୍ଚି ସାହୁ, ପରିବେଶ ସାଥି ସୁକାନ୍ତ ଚୌଧୁରୀ, ପରିବେଶ ସାଥି ସୀମାଞ୍ଚଳ ସାହୁ ପ୍ରମୁଖ ଯୋଗଦେଇ ସ୍ଲୋଗାନ ଓ ସଚେତନତା ମାଧ୍ୟମରେ ଜଙ୍ଗଲରେ ଲାଗୁଥିବା ନିଆଁକୁ ପ୍ରତିହତ କରିବା ପାଇଁ ପ୍ରୟାସ କରିଥିଲେ।
କୋମଣ୍ଡଠାରେ ଜନସଚେତନତା ଉଦ୍ଦେଶ୍ୟରେ ପୂର୍ବତନ ସରପଞ୍ଚ ବିଜନ ପାଇକରାୟ ଜମିରେ ରଖାଯାଇଥିବା ପାଳ ଗଦାରେ ନିଆଁ ନଲଗାଇ ତାକୁ ମାଟିରେ ପଚିଯିବା ପାଇଁ ଛାଡ଼ିଦେବା ଆବଶ୍ୟକ ବୋଲି କହିଥିଲେ। ପାଳ ପଚିଲେ ଆମେ ଛତୁ ପାଇପାରିବା ଏବଂ ପଚା ପାଳରେ, ପୋଡା ପାଉଁଶ ଠାରୁ ଅଧିକ ଖତସାର ଥାଏ ବୋଲି ସେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସମସ୍ତଙ୍କୁ ସଚେତନ କରାଇ ଥିଲେ।
ବାଉଁଶ ନଷ୍ଟ ହେଲେ ସମାଜର ତଳ ସ୍ତରର ଲୋକ ଜୀବନ ଜୀବିକା ହରାଇବେ ଏବଂ ବାଉଁଶ ହସ୍ତକଳାର ଅପମୃତ୍ୟୁ ଘଟିବ। ଅଧିକାଂଶ ଆଦିବାସୀ ଓ ହରିଜନ ସମ୍ପ୍ରଦାୟ ଲୋକମାନଙ୍କର ଏହା ଆର୍ଥିକ ମେରୁଦଣ୍ଡ ଅଟେ। ବାଉଁଶ ଏକ ଅତ୍ୟନ୍ତ ଜ୍ବଳନଶୀଳ ବୃକ୍ଷ ହୋଇଥିବାରୁ ଏହି ବୁଦା ବା ବୃକ୍ଷକୁ ନିଆଁ ନଲଗାଇବାକୁ ଶିକ୍ଷକ ବନ୍ଧୁ ସନ୍ତୋଷ କୁମାର ସାହୁ ରୋହିବାଙ୍କ ଠାରେ ସଚେତନତା ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ। ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ ନିଆଁ ନଲଗାଇ ଅଦରକାରୀ ପାଳର ସଦୁପଯୋଗ କିଭଳି କରାଯାଇ ପାରିବ ସେ ବିଷୟରେ ନିଜର ବିବରଣୀ ପ୍ରଦାନ କରିଥିଲେ। ବୃକ୍ଷ ଦେବୀ ନମସ୍ତୁତେକୁ ତର୍ଜମା କରି ବୃକ୍ଷ ଓ ମଣିଷ ମଧ୍ୟରେ ଥିବା ସମ୍ପର୍କକୁ ଘନିଷ୍ଟ କରାଇ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ପରିବେଶ ସାଥି ସୁକାନ୍ତ ଚୌଧୁରୀ ଜଙ୍ଗଲ ସୁରକ୍ଷା ଅଧିନିୟମ ରେ ଥିବା କିଛି ଦଣ୍ଡ ବିଧାନ ବ୍ୟବସ୍ଥା ଉପରେ ସମ୍ୟକ ଧାରଣା ଦେଇ କହିଥିଲେ ଯେ, ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଧାରା ପଡିଲେ ଦଶ ହଜାର ଟଙ୍କା ଜରିମାନା କିମ୍ବା ତିନିରୁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଦିଆ ଯିବାର ବ୍ୟବସ୍ଥା ଅଛି ବୋଲି ଅବତାରଣା କରାଇଥିଲେ। ତତ୍ ସଙ୍ଗେ ସଙ୍ଗେ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଧରାଇ ଦେଲେ ନାମ ଗୋପନୀୟ ରଖି ଧରାଇ ଦେଉଥିବା ବ୍ୟକ୍ତିଙ୍କୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ ବୋଲି ସାଧାରଣ ବର୍ଗର ଲୋକଙ୍କୁ ଅବଗତ କରାଇଥିଲେ।
ସମସ୍ତ ସ୍ବେଚ୍ଛାସେବୀ ଗୟଳସିଂହ ଜଙ୍ଗଲର ସୁରକ୍ଷା ଉପରେ ନିଜ ନିଜର ଅଭିବ୍ୟକ୍ତିକୁ କେନ୍ଦ୍ରୀଭୂତ କରିଥିଲେ। ଜଙ୍ଗଲ ସୁରକ୍ଷା ଅଭିଯାନ ସମୟରେ ନାଉଖାଲ ନିକଟସ୍ଥ ଗୋଛା ଜଙ୍ଗଲର ପାଦ ଦେଶରେ ଥିବା ଏକ ଶାଗୁଆନ ଜଙ୍ଗଲରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପରିବେଶ ସାଥି ଫକୁନ ବିଶୋଇ, ଯୋଗେନ୍ଦ୍ର ବିଶୋଇ, ସୀମାଞ୍ଚଳ ସାହୁ,ନବକିଶୋର ବିଶୋଇ, ନାରାୟଣ ରାଉତ ଏବଂ ସ୍ଥାନୀୟ ଜନସାଧାରଣ ମିଶି ଜଙ୍ଗଲନିଆଁକୁ କାବୁ କରିଥିଲେ। ମା ପାଣିଷଣ୍ଢ ୟୁଥ କ୍ଲବର ଅଗ୍ରଗାମୀ ସଦସ୍ୟ କୁଶକୁମାର ବିଶୋଇ, ଦେବୀପ୍ରସାଦ ସାହାଣୀ, ପ୍ରଣତ କୁମାର ବିଶୋଇ, ସୀମାଞ୍ଚଳ ପଣ୍ଡା ,ଶାନ୍ତନୁ ବିଶୋଇ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।






