ନୟାଗଡ଼,(ବାଘୁଆବାର୍ତ୍ତା): ଶିକ୍ଷିତ ସରପଞ୍ଚଙ୍କ ମିଛୁଆ ନୀତି ପଦାରେ ପଡ଼ିଥିବା ବେଳେ ସରପଞ୍ଚ କିଭଳି ଜ୍ୱର ବାଉଳାରେ ତାଟିଆ କାମୁଡ଼ୁଛନ୍ତି ତାହା ଏବେ ସାମନାକୁ ଆସିଛି । ପଞ୍ଚାୟତର ୱାର୍ଡ଼ ସଭ୍ୟମାନେ ସରପଞ୍ଚଙ୍କ ନାମରେ ଅଭିଯୋଗ କରିବା ପରେ ସରପଞ୍ଚ ଏବେ ୱାର୍ଡ଼ ସଭ୍ୟଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ପଞ୍ଚାୟତର ୫ ଜଣ ୱାର୍ଡ଼ ଅଯୋଗ୍ୟ ଓ ପାଗଳ ବୋଲି ସରପଞ୍ଚ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ବୋଦାପଡ଼ା ଓାର୍ଡ଼ ସଭ୍ୟ ସନ୍ତୋଷ କୁମାର ପ୍ରଧାନ, ବାରବାଟି ସଭ୍ୟା ବାସନ୍ତି ନାୟକ, ବରପଲ୍ଲୀ ସଭ୍ୟ ନରସିଂହ ଜେନା, ବରପଲ୍ଲୀ କୈଳାସ ପ୍ରଧାନ, ବୋଦାପଡ଼ା ରସାନନ୍ଦ ଜେନା ପ୍ରମୂଖଙ୍କୁ ସରପଞ୍ଚ ଅଯୋଗ୍ୟ ଏବଂ ପାଗଳ ବୋଲି ଅଭିହିତ କରିଛନ୍ତି । ଏପରି କରିବା ପଛର ମୁଖ୍ୟ କାରଣ ହେଉଛି ସରପଞ୍ଚଙ୍କ ରାସନ କେଳେଙ୍କାରୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ । ସରପଞ୍ଚ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟନ କରୁଥିବା ବେଳେ ଚାଉଳ ଓ କିରୋସିନ ବ୍ୟାପକ ଅନିୟମିତା କରିଥିବା ଜଣାପଡ଼ିଥିଲା । ଗୋଦାମ ଘର ଖାଲି ହେବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସନ୍ଦେହ ପ୍ରକାଶ ପାଇଥିଲା । ବେନିୟମ ଭାବେ ୭ ଜଣ ବ୍ୟକ୍ତିଙ୍କୁ ଚାଉଳ ଓ କିରୋସିନ ବଣ୍ଟନ ବେଳେ ନିର୍ବାହୀ ଅଧିକାରୀଙ୍କ ନଜରକୁ ଏହା ଆସିଥିଲା । ଯାହାକୁ ନେଇ ରାସନ ବଣ୍ଟନ ଦାୟିତ୍ୱ ନିର୍ବାହୀ ଅଧିକାରୀ ନିଜେ ବୁଝିବା ପରେ ସରପଞ୍ଚ ଲାଭାଂଶ ନପାଇ ତାଟିଆ କାମୁଡ଼ୁଥିବା ଜଣାଯାଇଛି । ଏହାକୁ ନେଇ ୱାର୍ଡ଼ ସଭ୍ୟ ବିରୋଧ କରିବାରୁ ଏବେ ସରପଞ୍ଚଙ୍କର ସେମାନେ ଶତ୍ରୁ ପାଲଟିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ, ଯଦି ୱାର୍ଡ଼ ସଭ୍ୟମାନେ ଅଯୋଗ୍ୟ ଥିଲେ, ତେବେ ଏହି ଯୋଗ୍ୟ ସରପଞ୍ଚ ୪ ବର୍ଷ ଧରି କାହିଁକି ଚୁପ ରହିଥିଲେ? ଏହା ପଛର ରହସ୍ୟ କ’ଣ? ଉକ୍ତ ପଞ୍ଚାୟତବାସୀ ଯୋଗ୍ୟ ସରପଞ୍ଚଙ୍କୁ ଭୋଟ ଦେଇ ବିକାଶ ବଦଳରେ ବିନାଶକୁ ଡାକି ଆଣି ଏବେ ପଶ୍ଚାତାପ କରୁଛନ୍ତି । ଯାହାର ତଥ୍ୟ ଆଗାମୀ ଦିନରେ ପ୍ରକାଶ କରାଯିବ ।






