ନୟାଗଡ଼,(ବାଘୁଆବାର୍ତ୍ତା): ଖୋର୍ଦ୍ଧା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜେବି ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ବିଜୁ ପ୍ରିମିୟର ଲିଗର ଆଜି ଥିଲା ତୃତୀୟ ଦିନ ମ୍ୟାଚ । ତୃତୀୟ ଦିନ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଭୁବନେଶ୍ୱର ବିଜୁ ଯୁବ ଜନତା ଦଳ ଏବଂ ନୟାଗଡ଼ ଛାତ୍ର ବିଜେଡି ଦଳ ମଧ୍ୟରେ ଆୟୋଜିତ ହୋଇଥିଲା । ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ରାଜେନ୍ଦ୍ର କୁମାର ସାହୁ ମ୍ୟାଚ ଆରମ୍ଭରେ ଉଭୟ ଦଳ ଖେଳାଳିଙ୍କୁ ଶୁଭେଛା ଜଣାଇଥିଲେ । ନୟାଗଡ଼ ଟିମ ଟସ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଭୁବନେଶ୍ୱର ଦଳ ନିର୍ଦ୍ଧାରିତ ୧୫ ଓଭରରେ ୭ ଉଇକେଟ ହରାଇ ୧୪୫ ରନ ସଂଗ୍ରହ କରିଥିଲେ। ଜବାବରେ ନୟାଗଡ଼ ଛାତ୍ର ବିଜେଡି ଟିମ ମାତ୍ର ୧୪ ଓଭରରେ ସମସ୍ତ ଉଇକେଟ ହରାଇ ୧୦୩ ରନ କରିବାକୁ ସକ୍ଷମ ହୋଇଥିଲେ। ଭୁବନେଶ୍ୱର ଯୁବ ବିଜେଡି ୪୨ ରନରେ ଏହି ମ୍ୟାଚ ଜିତିଥିଲେ। ମ୍ୟାନ ଅଫ ଦି ମ୍ୟାଚ ଭାବେ ଭୁବନେଶ୍ୱର ଟିମର ଲରେନ୍ସ ସ୍ୱାଇଁ ୨୯ ରନ କରିବା ସହ ଗୋଟିଏ ଉଇକେଟ ପାଇଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ ଭୁବନେଶ୍ୱର ଛାତ୍ର ବିଜେଡି ଦଳ ଏବଂ ନୟାଗଡ଼ ଯୁବ ବିଜେଡି ଦଳ ମଧ୍ୟରେ ଆୟୋଜିତ ହୋଇଥିଲା। ଟସ ଜିତି ନିର୍ଦ୍ଧାରିତ ଓଭରରେ ଭୁବନେଶ୍ୱର ବିଜୁ ଛାତ୍ର ଜନତା ଦଳ ୧୦ ଉଇକେଟ ହରାଇ ୭୫ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବୈଭବ ଜେନା ୩୮ ରନ କରିଥିବା ବେଳେ ନୟାଗଡ଼ ଦଳ ପକ୍ଷରୁ ପ୍ରଶାନ୍ତ ରଣା ୯ ରନ ଦେଇ ୩ ଉଇକେଟ ସଂଗ୍ରହ କରିଥିଲେ । ଜବାବରେ ନୟାଗଡ଼ ବିଜୁ ଯୁବ ଜନତା ଦଳ ମାତ୍ର ୧୦.୩ ଓଭରରେ ୪ଉଇକେଟ ହରାଇ ୭୬ ରନ କରିଥିଲେ। ନୟାଗଡ଼ ବିଜୁ ଯୁବ ଜନତା ଦଳ ୬ ଉଇକେଟରେ ବିଜୟୀ ହୋଇଥିଲା। ମ୍ୟାନ ଅଫ ଦି ମ୍ୟାଚ ଭାବେ ନୟାଗଡ଼ର ଅସୀମ ନନ୍ଦ ଦଳବେହେରା ୨୭ ରନ ସଂଗ୍ରହ କରିବା ସହ ୨ ଉଇକେଟ ଅକ୍ତିଆର କରିଥିଲେ। ଖୋର୍ଦ୍ଧା ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ କୁମାର ପରିଡା ଏବଂ ଛାତ୍ର ଜନତା ଦଳ ଜିଲାସଭାପତି ବିଶ୍ୱଦିପ ପ୍ରଧାନ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁଜିତ ପାଲଟାସିଂ ଏବଂ ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ସଂଗ୍ରାମ ପ୍ରଧାନ ପ୍ରମୁଖ ଉତ୍ସବରେ ଉପସ୍ଥିତ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।






