ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଛେନାପୋଡ଼ ଏବଂ କଣ୍ଟିଲୋର କଂସା ପିତଳକୁ ଜିଆଇ ମାନ୍ୟତା ପାଇଁ ଆଜି ପ୍ରଶାସନ ମହଲରେ ଆଲୋଚନା ହୋଇଯାଇଛି । ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏନେଇ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଡେପୁଟି କଲେକ୍ଟର କୁଞ୍ଜ ବିହାରୀ ବଡ଼ଜେନା, ଡେପୁଟି କଲେକ୍ଟର ଶ୍ରୀକୁମାର ରଥ, ରାଜ୍ୟ ସରକାରଙ୍କ ପ୍ରକଳ୍ପ ବୈଜ୍ଞାନିକ ବିଜ୍ଞାନ ଓ କାରିଗରୀ ବିଭାଗର ଡ. ସୁଶାନ୍ତ କୁମାର ରାଉତ ପ୍ରମୂଖ ଉପସ୍ଥିତ ରହି ଆଲୋଚନା କରିଛନ୍ତି । ଡ. ରାଉତ ଜିଆଇ ମାନ୍ୟତା ପ୍ରଦାନ ପାଇଁ ଆବେଦନ ସଂମ୍ପର୍କରେ ଆଲୋଚନା କରିଥିଲେ । ସାରା ରାଜ୍ୟ ତଥା ଦେଶରେ ଛେନାପୋଡ଼ର ସୃଷ୍ଟି ନୟାଗଡ଼ ବୋଲି ବିଦିତ ଥିବା ବେଳେ ଏଥିପାଇଁ ପ୍ରୟାସ ଆରମ୍ଭ କରିଥିବା ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ । ଏହି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି, ସୁମନ କୁମାର ସାହୁ, ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୂଖ ଉପସ୍ଥିତ ଥିଲେ । ସେହିଭଳି ଭାବେ କଂଟିଲୋ କଂସା ପିତଳ ବାସନକୁ ଜିଆଇ ମାନ୍ୟତା ପାଇଁ ଏକ ଆଲୋଚନା ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି ।






