ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ଆୟୋଜିତ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ଆସନ୍ତା ୧୧ ତାରିଖ ଶନିବାର ଦିନ ଯୁକ୍ତ ଦୁଇ କଲେଜ(ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ) ପରିସରରେ ଅନୁଷ୍ଠିତ ହେବ। ଏ ନେଇ ସଙ୍ଗୀତଧାରା ସମ୍ପାଦକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ନୟାଗଡ଼ ‘ସଙ୍ଗୀତଧାରା’ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ରବିବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ। ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ପ୍ରତିଯୋଗୀ ମାନେ ସକାଳ ସାଢ଼େ ୧୦ଟାରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନାମ ପଞ୍ଜିକରଣ କରିବେ। ସଙ୍ଗୀତଧାରା ନିଷ୍ପତ୍ତି ଅନୁଯାୟୀ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବା ପ୍ରତିଯୋଗୀକୁ ୫ହଜାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।






