ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଚୋରଙ୍କ ଆତଙ୍କ। ଚୋରୀ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ଚୋର ଗ୍ୟାଙ୍ଗ। ଆଜି ଏଇଠୁ ତ କାଲି ଆଉ କେଉଁ ଜାଗାରୁ ଚୋରୀ କରି ପୋଲିସର ମୁଣ୍ଡ ବିନ୍ଧାଇ ଦେଇଛନ୍ତି ଚୋର ଗ୍ୟାଙ୍ଗ। ଥାନାକୁ ପ୍ରତିଦିନ କୋଉଠି ନା କୋଉଠି ଚୋରୀ ହେଉଥିବା ନେଇ ଅଭିଯୋଗ ଆସୁଛି। ମାମଲା ରୁଜୁ ହେଉଛି କିନ୍ତୁ ଚୋରଙ୍କ ଟେର୍ ପାଉନି ପୋଲିସ। ଏଭଳି ଅବସ୍ଥା ଦେଇ ଗତି କରୁଛି ଜିଲ୍ଲା ପୋଲିସ ପ୍ରଶାସନ, ଯାହାକି ପୋଲିସର ଚୋର ଧରିବାର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନୟାଗଡ଼ ସଦର ଥାନା ଅଞ୍ଚଳ ଅନ୍ତର୍ଗତ ଖଣ୍ଡୁଗାଁ ର ସ୍ବର୍ଗତ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଘରେ କଳା କନା ବୁଲାଇଛନ୍ତି ଚୋର। ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ପୋଲିସ ଆଜି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ ଵିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ଜିଲ୍ଲାର କୋଣ ଅନୁକୋଣରେ ଚୋରୀ ହେବା ଚୋର ଧରା ନ ପଡ଼ିବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।






