ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୁରୁଣା ସହର ସ୍ଥିତ ‘ଅଧ୍ୟୟନ’ ପାଠାଗାରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ହେବାକୁ ଯାଉଛି। ପାଠାଗାରରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଲେ ଇନଭର୍ଟର ନଥିବାରୁ ପିଲାମାନେ ଅନ୍ଧକାରରେ ପାଠ ପଢ଼ିବାକୁ ବାଧ୍ୟ ହେଉଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ନୟାଗଡ଼ ଜିଲ୍ଲପାଳ ମଧୁମିତା ରଥ ଅଚାନକ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ପରେ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ଏବଂ ସ୍ଥିତିରେ ସୁଧାର ଆଣିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ। ତେବେ ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ହୃଦବୋଧ କରି ନୟାଗଡ଼ ପୌରପରିଷଦ ପକ୍ଷରୁ ପାଠାଗାର ‘ଅଧ୍ୟୟନ’ରେ ଏକ ଶକ୍ତିଶାଳୀ ଡିଜି (DG) ସେଟ୍ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପୌରପରିଷଦ ପକ୍ଷରୁ ବିଧିବଦ୍ଧ ଭାବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ପୌରପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ଆସନ୍ତା ଅପ୍ରେଲ ୮ ତାରିଖରେ ଏହି ଟେଣ୍ଡର ଖୋଲାଯିବ। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ମାତ୍ରେ ଅଧ୍ୟୟନ ଲାଇବ୍ରେରୀରେ ଡିଜି ସେଟ୍ ସଂଯୋଗ କରାଯିବ। ଏହା ଦ୍ୱାରା ଶହ ଶହ ଛାତ୍ରଛାତ୍ରୀ ଆଉ ଅନ୍ଧକାରରେ ନୁହେଁ, ବରଂ ନିରବଚ୍ଛିନ୍ନ ଆଲୋକରେ ନିଜର ଭବିଷ୍ୟତ ଗଢ଼ିପାରିବେ। ପ୍ରଶାସନର ଏହି ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।






