ନୟାଗଡ଼,(ବାଘୁଆବାର୍ତ୍ତା): ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଵ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ତଥା ୩୩ ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ୟ୍ୟ ପ୍ରମୂଖ ସାମିଲ ହୋଇଥିଲେ । ସଙ୍ଗୀତ କଣ୍ଠଶିଳ୍ପୀ ରଜନୀକାନ୍ତ ମହାପାତ୍ର ଆବାହନ ସଙ୍ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଆଇନଜୀବୀ ଶରତ ଚନ୍ଦ୍ର ବେହେରା ସଂଯୋଜନା କରିଥିଲେ । ୧୯୨୦ ମସିହାରେ ଦଶପଲ୍ଲା ମାଟି କୁଞ୍ଜବନଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ସେ ଅନେଟ ନାଟକ ରଚନା କରି ସୁନାମ ଅର୍ଜ୍ଜନ କରିଥିଲେ । ନୟାଗଡ଼ ବିଧାୟକ ତାଙ୍କ ବକ୍ତବ୍ୟରେ, ୫୦ ବର୍ଷ ତଳେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ଲିଖିତ ମୁଲିଆ ନାଟକ ଏବଂ ବର୍ତ୍ତମାନର ନାଟକ ମଧ୍ୟରେ ଏକ ତୁଳନାତ୍ମକ ଉପସ୍ଥାପନା ରଖିଥିଲେ । ଦଶପଲ୍ଲା ବିଧାୟକ ତାଙ୍କ ବକ୍ତବ୍ୟରେ, ରାମଚନ୍ଦ୍ର ମିଶ୍ରଙ୍କ ନାଟକ ମଧ୍ୟରେ ସାମାଜିକ ଚଳନି, ଶୋଷଣ, କଷଣ ପ୍ରତିଫଳିତ ହୋଇଥିବା ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।






