ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଥିବା ବିକାଶ ମେଳା ୫ମ ଦିନରେ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନ ଶିଳ୍ପ ଏବଂ ସମବାୟ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇଥିଲେ । ପ୍ରଭାରୀ ମନ୍ତ୍ରୀଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ପାଇଁ ଲୋକ ଯୋଗାଡ଼ ହୋଇଥିଲା । ଗାଡ଼ି କରି ବିଭିନ୍ନ ବ୍ଲକରୁ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ କାର୍ଯ୍ୟକ୍ରମକୁ ଅଣାଯାଇଥିଲା । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ୱ।ଗତ ଭାଷଣ ରଖିଥିଲେ । ଅନ୍ୟତମ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ ପ୍ରମୂଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଅଭିଭାଷଣରେ କହିଥିଲେ ଯେ ୨୦୩୬ ସୁଦ୍ଧା ନୟାଗଡ଼ ଜିଲ୍ଲା ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ ହେବାକୁ ଯାଉଛି, ସେଥିପାଇଁ ଆଜି ପ୍ରଭାରୀ ମନ୍ତ୍ରୀ ଉପସ୍ଥିତିରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ବିଧାୟକ ସୁଭଦ୍ରା ଯୋଜନା ଏବଂ ସରକାରଙ୍କର ବହୁମୁଖି କାର୍ୟ୍ୟକ୍ରମ ବିଷୟରେ କହିଥିଲେ । ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କର ଦେଶରେ ଏଗାର ବର୍ଷର ବିକାଶ ଯୋଜନାରେ ଏଵଂ ରାଜ୍ୟ ସରକାରଙ୍କ ଏକ ବର୍ଷ ପୁର୍ତ୍ତୀ ଅବସରରେ ପ୍ରତିଶ୍ରୁତି ଦେଇ ପାଳନ କରିଥିବା କଥା ପ୍ରକାଶ କରିଛନ୍ତି । ଯାହାର ସଫଳତା ଶହେ ପ୍ରତିଶତ ହୋଇଛି। ସାଢେ଼ ଚାରିକୋଟି ଓଡିଆଙ୍କର ସୁନ୍ଦର ଭବିଷ୍ୟତ ପାଇଁ ଆମେ ୨୦୩୬ ସୁଦ୍ଧା ଏହାର ସଫଳତା ପାଇଁ ଏକ ଭିଜନ ରଖିଛୁ । ଏହାପରେ ଜଙ୍ଗଲ ଜମି ପଟ୍ଟା, ରାସନ୍ କାର୍ଡ, ଶ୍ରମିକ କଲ୍ୟାଣ ମୃତ୍ୟୁ କ୍ଷତିପୂରଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ ଧନ୍ୟବାଦ ଦେଇଥିଲେ । ପରିଶେଷରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା ପରେ ବିଭିନ୍ନ ବ୍ଲକରୁ ଆସିଥିବା ମହିଳାମାନେ ଚାଲି ଯାଇଥିଲେ । ଫଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳକୁ ପଡ଼ିଆ ଖାଁ ଖାଁ ହୋଇଯାଇଥିଲା ।






