ନୟାଗଡ଼,(ବାଘୁଆବାର୍ତ୍ତା): ଜାତୀୟ ପତାକାକୁ ରାସ୍ତା କଡରେ ଫୋପାଡିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ସହ ନେଇଛି କଂଗ୍ରେସ । ଖଣ୍ଡପଡ଼ାରେ ଅପରେସନ ସିନ୍ଦୁର ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ, ଏନଏସି ଅଧ୍ୟକ୍ଷା ଏବଂ ସରକାରୀ ପଦାଧିକାରୀ ହାତରେ ଜାତୀୟ ପତାକା ଧରି ଦେଶଭକ୍ତି ନିଦର୍ଶନ ସହିତ ସାମିଲ ହେବା ପରେ ଜାତୀୟ ପତାକାକୁ ରାସ୍ତା କଡ ତଥା କଲ୍ୟାଣମଣ୍ଡପରେ ଫୋପାଡ଼ିଦେବା ଭଳି ସଂଗୀନ ଅପରାଧରେ ଜଡିତ ରାଜନେତା ସରକାରୀ ବାବୁଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଆଇନଗତ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଜି ନୟାଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପୀତବାସ ଖୁଣ୍ଟିଆ, ଦଳିତ ନେତା ମନୋଜ ନାଏକ ଏବଂ ସନ୍ତୋଷ ନାଏକ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିବା ପରେ ଏହି ଅଘଟଣ ତଦନ୍ତ ପାଇଁ ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶାସକ ଦଳର ଦାୟିତ୍ୱ ସମ୍ପନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଆମ ଦେଶ ଜାତୀୟ ପତାକାର ଅସମ୍ମାନ ପ୍ରସଙ୍ଗରେ କଂଗ୍ରେସ ତୀବ୍ର ନିନ୍ଦା କରିଛି ।






