ଭୁବନେଶ୍ବର,(ବାଘୁଆବାର୍ତ୍ତା): ବିଜେପି ସରକାର ଆଉ ଦୁଇ ଦିନ ପରେ ଅର୍ଥାତ ୧୨ ତାରିଖରୁ ରାଜ୍ୟରେ ସରକାର ଗଠନର ବର୍ଷପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛନ୍ତି। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ କେବଳ ପୂର୍ବର ବିଜେଡି ସରକାର ସମୟର ଜନକଲ୍ୟାଣକାରୀ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରିବାରେ ଲାଗିଥିବା ବେଳେ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ଭୁଲି ଯାଇଛନ୍ତି। ଯାହାକୁ ନେଇ ଆଜି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା ତଥେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଶଙ୍ଖଭବନରେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକକୁ ସମ୍ଭୋଧିତ କରିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଦେଇଛନ୍ତି । ବିଜେପି ସରକାର କହୁଛନ୍ତି ସେମାନେ ଲୋକଙ୍କ ସରକାର । କିନ୍ତୁ ସେମାନଙ୍କ ସହ ଲୋକ ନାହାଁନ୍ତି । କେବଳ ଲମ୍ବା ଭାଷଣ କି ବଡ଼ ବଡ଼ ବିଜ୍ଞାପନରେ ବିକାଶ ହୁଏନି ବୋଲି କହିଛନ୍ତି ନବୀନ । ବିଜେଡି ସରକାର ଅମଳରେ ୯୦ ପ୍ରତିଶତ ଲୋକ ବିଏସକେୱାଇ ଯୋଜନାରୁ ମାଗଣା ଚିକିତ୍ସା ସୁବିଧା ପାଉଥିଲେ । ଏବେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ଲୋକଙ୍କୁ ମେଡିସିନ ମିଳୁନି କି ମାଗଣା ଚିକିତ୍ସା ସୁବିଧା ବି ମିଳିପାରୁନି । ହଜାର ହଜାର ଲୋକ, ବୁଢାବୁଢୀ, କ୍ୟାନସର ରୋଗୀ ଓ ପିଲାମାନେ ହଇରାଣ ହେଉଛନ୍ତି । ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ରାଜ୍ୟର ୧୯ ଜିଲ୍ଲାରେ ଏବେ ସିଡିଏମଓ ନାହାଁନ୍ତି । ଏହା ହେଉଛି ବିଜେପି ସରକାରର ସଫଳତା ବୋଲି ତାତ୍ସଲ୍ୟ କରିଛନ୍ତି ନବୀନ । ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରି ଓଡିଶା ସାରା ଦେଶରେ ରେକର୍ଡ କରିଥିଲା । ବିଜେଡି ସରକାରରେ ମିଶନ ଶକ୍ତି ଏକ ଜନଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ଗତ ବର୍ଷକ ମଧ୍ୟରେ ମିଶନଶକ୍ତି ଅଭିଯାନକୁ ଦୁର୍ବଳ କରିଦେଇଛନ୍ତି ରାଜ୍ୟ ସରକାର । ମାଆ ମାନଙ୍କୁ ବ୍ୟବସାୟିକ ସହଯୋଗ ମିଳିପାରୁନି । ସରକାରୀ କାର୍ୟ୍ୟାଳୟରେ ମାଆ ମାନଙ୍କ କୌଣସି କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମାଆ ମାନେ ଏବେ ହତାଶ ହୋଇଯାଇଛନ୍ତି । ସେମାନଙ୍କ ଆତ୍ମବିଶ୍ବାସ ଭାଙ୍ଗିଯାଇଛି । ମାଆ ମାନେ ବିଜେପିକୁ ଆଉ କ୍ଷମା ଦେବେନି ବୋଲି ଚେତାଇ ଦେଇଛନ୍ତି ନବୀନ । ନିର୍ବାଚନ ସମୟରେ ବିଜେପି କହୁଥିଲା ସରକାରକୁ ଆସିଲେ କଟନୀ ଛଟନୀ ହେବନି । ସରକାରକୁ ଆସିବା ପରେ କିନ୍ତୁ କଟନୀ ଛଟନୀ ବନ୍ଦ ହୋଇନି । ମିଲରଙ୍କ ଦୟାରେ ଏବେ ଚାଷୀଙ୍କ ଭାଗ୍ୟ । ମିଲରଙ୍କର ଆଉ ସରକାରଙ୍କୁ ଭୟ ନାହିଁ । ବିଜେପି ସରକାର ସବୁ ଚାଲିଥିବା କାମକୁ ବନ୍ଦ କରିଦେଇଛନ୍ତି । ଲୋକଙ୍କ ସରକାର ବୋଲି ଦାବି କରୁଥିଲେ ବି ବିଜେପି ସରକାରରେ ଲୋକ ନାରଖାର ହେଉଛନ୍ତି ବୋଲି ନବୀନ ସମାଲୋଚନା କରିଛନ୍ତି । ୨୦୦୦ରେ ବିଜେଡି ଦାୟିତ୍ବକୁ ନେବା ବେଳେ ରାଜ୍ୟ ୧୮ହଜାର କୋଟି ଟଙ୍କାର ଋଣ ବୋଝରେ ବୁଡି ରହିଥିଲା । ଓଭରଡ୍ରାଫ୍ଟରେ ଚାଲିଥିଲା ସରକାର । ୨୦୨୪ରେ ବିଜେଡି ଶାସନ ଦାୟିତ୍ବ ଛାଡିବା ବେଳକୁ ରାଜକୋଷରେ ୪୫ହଜାର କୋଟି ଟଙ୍କାର ବଳକା ରାଜସ୍ବ ଥିଲା । ଏବେ ରେକର୍ଡ ପରିମାଣର ଋଣରେ ବୁଡି ରହିଛି ସରକାର । ୨୦୦୫-୦୬ରେ ରାଜ୍ୟରେ ଗରିବୀ ୬୩.୮୩ ପ୍ରତିଶତ ଥିଲା । ୨୦୨୦-୨୩ରେ ଏହା ୧୧.୦୭ ପ୍ରତିଶତକୁ ହ୍ରାସ ପାଇଥିଲା । ୧୦୨ କୋଟି ୭୮ ଲକ୍ଷ ଦ୍ରାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିଲେ । ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁହାରକୁ ସଫଳତାର ସହ କମାଇଥିଲା ବିଜେଡି ସରକାର । ବିଜେଡି ଲୋକଙ୍କ ସହ ସବୁବେଳେ ରହିଛି । ଦଳର ନେତା ଓ ତୃଣମୂଳ ସ୍ତରରେ କର୍ମୀମାନେ ଲୋକଙ୍କ ସେବା ଜାରି ରଖିବାକୁ ନବୀନ ଆହ୍ବାନ ଦେଇଛନ୍ତି ।






