ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମାଇଛେଳି ପଞ୍ଚାୟତ ସମ୍ପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବର୍ଷାରେ ଭିଜିକି ଥିବା ଏକ ମାଟି କାନ୍ଥ ଜଣେ ବ୍ୟକ୍ତିଙ୍କ ଉପରେ ମାଡି ବସିବାରୁ ତାଙ୍କର ମୃତ୍ୟୁ ହୋଇଛି। ସଂପଡା ଗ୍ରାମର ରବି ନାୟକ (୫୮) ପୁରୁଣା ମାଟି ଘରକୁ ଭାଙ୍ଗି ନୂତନ ଘରକାମ ଆରମ୍ଭ କରିଥିଲେ। ଆଜି ଶ୍ରମିକ ମାନେ ଘର ନିର୍ମାଣ କାମ ଶେଷ କରି ଯିବା ପରେ ଅପରାହ୍ନ ସମୟରେ ରବି ନିର୍ମାଣ ସ୍ଥାନକୁ ଯାଇଥିଲେ। ଆଜି ସମ୍ପଡା ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ପୂର୍ବରୁ ବର୍ଷାରେ ଭିଜିକି ଥିବା କାନ୍ଥ ରବିଙ୍କ ଉପରେ ମାଡି ବସିଥିଲା। ଖବରପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରୁ ରବିଙ୍କୁ ଉଦ୍ଧାର କରି ଏକ କାର ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ରବିଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରବିଙ୍କ ପୁଅ ଅଭିଯୋଗ ଆଧାରରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।






