ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଶରଣକୁଳ ବନପାଳ ଶିଶିର କୁମାର ସାହୁଙ୍କ ମୃତ୍ୟୁ । ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ପୋଡା ମୃତଦେହ ଉଦ୍ଧାର । ନୟାଗଡ଼ ପଞ୍ଚରିଡା ଫରେଷ୍ଟର ଶିଶିର ସାହୁଙ୍କ ମୃତ ଦେହକୁ ଟାଉନ ଥାନା ପୁଲିସ ଜବତ୍ କରିଛି । ନୟାଗଡ଼ ବାରମାସୀ ଦଣ୍ଡା ସ୍ଥିତ ଶିଶିରଙ୍କ ଘରେ ଏହି ଅଭାବନୀୟ ଘଟଣା ଘଟିଛି । ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଛି ତାହା ସନ୍ଦେହ ଘେରରେ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଶିଶିର, ତାଙ୍କ ସ୍ତ୍ରୀ ନମିତା ଏବଂ ପୁଅ ଅଭିଷେକ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିବା ପରେ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ପରେ ଫାୟାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲେ । ଘରର ବେଡ଼ରୁମ୍ ଖଟ ଉପରେ ଶିଶିରଙ୍କ ମୃତ ଦେହ ପଡିରହିଛି । ସେପଟେ ଶିଶିରଙ୍କ ସ୍ତ୍ରୀ ନମିତା ନିଆଁରେ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇ ନାହିଁ । ନିଆଁ ଲାଗି ଘରେ ଥିବା ସ୍କୁଟିଟି ପୋଡ଼ି ଯାଇଥିବା ବେଳେ ଅନେକ ଆସବାବ ପାତ୍ର ମଧ୍ୟ ପୋଡିଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । କାରଣ ଜାଣିବା ପାଇଁ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ଟାଉନଥାନା ପୁଲିସ । ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କର ଘର ମାନପୁର ହୋଇଥିବା ବେଳେ ସେ ନୟାଗଡ଼ ସହରର ବାରମାସୀଦଣ୍ଡା ସ୍ଥିତ ଅଞ୍ଚଳରେ ଘର କରି ସ୍ତ୍ରୀ ଏବଂ ପୁଅଙ୍କ ସହ ରହୁଥିଲେ । ଟାଉନଥାନା ପୁଲିସ ଶିଶିରଙ୍କ ପୁଅଙ୍କୁ ପଚରାଉଚରା କରୁଛି।






