ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସିକିମରେ ତିସ୍ତା ନଦୀ ଉପରୁ ଖସି ପଡ଼ିଲା ଟୁରିଷ୍ଟ ଗାଡ଼ି । ଗାଡିରେ କିଛି ଓଡ଼ିଶାର ପର୍ଯ୍ୟଟକ ମଧ୍ୟ ରହିଥିବା ନେଇ ସୂଚନା ମିଳିଛି । ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ଘଟଣା ବାବଦରେ ସିକ୍କିମ୍ ସରକାରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାର ଶିକାର ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ । ଏହାସହ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ନେଇ ସିକିମ ସରକାରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁ କାର୍ଯ୍ୟର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଟିମ୍କୁ ସିକ୍କିମ୍ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଥାଉକି, ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ-ମୁନସିଥାଙ୍ଗ ମଧ୍ୟରେ ପ୍ରାୟ ୧ ହଜାର ଫୁଟ ତଳକୁ ତିସ୍ତା ନଦୀରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡି ଖସିପଡିଥିଲା। ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଓ ଇଣ୍ଡୋ-ତିବତ ସୀମା ସୁରକ୍ଷା ବଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଉଦ୍ଧାର କାର୍ଯ୍ୟରେ ଯବାନଙ୍କୁ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ। ଗୁରୁତରମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଅନେକ ଯାତ୍ରୀ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଅନ୍ୟ ସ୍ଥାନର ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେବି ୮ ଜଣ ନିଖୋଜ ଥିବା ସୂଚନା ମିଳିଛି।






