ଦାରିଙ୍ଗବାଡି, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସିର୍କାବର୍ଗ ଏକ ଉପାନ୍ତ ପଞ୍ଚାୟତ । ବ୍ଲକ ହେଡକ୍ୱାର୍ଟର ଠାରୁ ୩୦ କିଲୋ ମିଟର ପାହାଡ ପର୍ବତ ମଧ୍ୟରେ ଅବସ୍ଥିତ ଏହି ପଞ୍ଚାୟତ । ଉକ୍ତ ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ହୋଇଥିବା ବେଳେ ରାସ୍ତା ସରିବା ପର ଠାରୁ ୪ ବର୍ଷ ହେବ ରକ୍ଷଣା ବେକ୍ଷଣ ହୋଇ ନଥିବା ଯୋଗୁଁ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଦନେକବାଡ଼ି ଘାଟି ଠାରୁ ସିର୍କାବର୍ଗ ପର୍ଯ୍ୟନ୍ତ ଦୀର୍ଘ ୧୮ କିଲୋ ମିଟର ରାସ୍ତା ଉପରୁ ପିଚୁ ଉଠିବା ସହ ମେଟାଲ ବାହାରି ପଡ଼ିଲାଣି । ଫଳରେ ଘାଟି ପାହାଡ ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ୍ ହେବାକୁ ବସିଲାଣି । ଏହି ସମସ୍ୟାର ସମାଧାନ ପାଇଁ ଅନେକ ବାର ଅଭିଯୋଗ କରିବା ପରେ ବି କୌଣସି ସମାଧାନ ହେଲା ନାହିଁ । ସେହିପରି ଏହି ଅଞ୍ଚଳରେ ବସ୍ ଯାତାୟାତକୁ ନେଇ ମଧ୍ୟ ଅନେକ ସମସ୍ୟା ରହିଛି । ଏହି ଦୁଇଟି ସମସ୍ୟାର ସାମାଧାନ ହେଉନଥିବାରୁ ଅଞ୍ଚଳବାସୀ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ହେଉଛନ୍ତି । ଦାରିଙ୍ଗବାଡି ବ୍ଲକ ସିର୍କାବର୍ଗ ପଞ୍ଚାୟତ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ସିର୍କାବର୍ଗ ପଞ୍ଚାୟତ ଅଞ୍ଚଳର ପ୍ରମୁଖ ସମସ୍ୟା କହିଲେ ରାସ୍ତା ଓ ବସ ଯାତାୟାତ ସମସ୍ୟା । ଉକ୍ତ ରାସ୍ତା ଦେଇ ଗଲା ବେଳେ ଭୟ ଲାଗୁଛି । ଅନେକ ସମୟରେ ଉକ୍ତ ଘାଟି ରାସ୍ତାରେ ଗୋଡ଼ି ବାହାରି ରହିଥିବାରୁ ଗାଡ଼ି ଖସି ଯାଇ କେତେବେଳେ କାହାର ଗୋଡ ଭାଙ୍ଗିଛି ତ ଆଉ କାହାର ହାତ । ଏଭଳିକି ଅନେକ ଲୋକ ଖଣ୍ଡିଆ ଖାବରା ମଧ୍ୟ ହେଉଛନ୍ତି । ଠିକାଦାର ଜଣଙ୍କ ରକ୍ଷଣା ବେକ୍ଷଣ କରୁନଥିବା ଯୋଗୁଁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କୁ ଅନେକ ବାର ନୋଟିସ ମଧ୍ୟ କରିସାରିଲାଣି । ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ କରୁନାହିଁ ଅମାନିଆ ଠିକାଦାର । ଉକ୍ତ ରାସ୍ତା ମରାମତି ନିମନ୍ତେ ସିର୍କାବର୍ଗ ସରପଞ୍ଚ ସମେତ ସମିତି ସଭ୍ୟ ଓ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ୧୦ ରୁ ଉର୍ଦ୍ଧ୍ୱ ଥର ଓ ଅନଲାଇନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ୩ରୁ ଉର୍ଦ୍ଧ୍ୱ ଥର ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ । ସିର୍କାବର୍ଗ ବାସୀଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ସେହିପରି ସିର୍କାବର୍ଗ ବାସୀଙ୍କ ଆଉ ଏକ ଦୁଃଖ ହେଲା ସରକାରୀ ବସ୍ ଚଳାଚଳ ସମସ୍ୟା । ସିର୍କାବର୍ଗ ପଞ୍ଚାୟତ ସମେତ ଦନେକବାଡ଼ି ପଞ୍ଚାୟତକୁ କୌଣସି ବେସରକାରୀ ବସ୍ ସେବା ନଥିବା ବେଳେ ଲକ୍ଷ୍ମୀ ଯୋଜନାରେ ଏହି ୨ ଟି ପଞ୍ଚାୟତ ନିମନ୍ତେ ଏକ ଲକ୍ଷ୍ମୀ ବସ୍ ଦିନକୁ ୪ ଥର ଦନେକବାଡ଼ି ଓ ସିର୍କାବର୍ଗ ଯାଉଥିଲା । ହେଲେ ତତ୍କାଳୀନ ବିଡିଓ ଉକ୍ତ ବସ୍ ରୁଟ୍କୁ ପରିବର୍ତ୍ତନ କରି ବାଡାବାଙ୍ଗାକୁ ଯାତାୟାତ ପାଇଁ ଚିଠି କରିଥିଲେ । ଫଳରେ ଉକ୍ତ ବସ୍ଟି ସିର୍କାବର୍ଗ ଓ ଦନେକବାଡ଼ିକୁ ସକାଳେ ଓ ସନ୍ଧ୍ୟାରେ ମାତ୍ର ୨ ଥର ଯାଉଥିବା ବେଳେ ଦିନ ତମାମ ବନ୍ଦ ରହୁଛି । ଫଳରେ ସକାଳୁ ଆସିଥିବା ଲୋକେ କାମ ସାରିଥିଲେ ସୁଦ୍ଧା ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଫଳରେ ୨ ଟି ପଞ୍ଚାୟତର ହଜାର ହଜାର ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଓ ଦନେକବାଡ଼ି ସରପଞ୍ଚ ନଞ୍ଜୟ ପ୍ରଧାନ ଏନେଇ ବିଡିଓ ପ୍ରୀତି ରଞ୍ଜନ ରଥଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହା ସହ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ଏବେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଫଳରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇ ଦାରିଙ୍ଗବାଡି- ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରିବେ ବୋଲି ଖୋଲାଖୋଲି ଭାବେ କହିଛନ୍ତି । ୧୫ ଦିନ ମଧ୍ୟରେ ଯଦି ୨ ଟି ଦାବିର ସମାଧାନ ନହୁଏ, ତାହାଲେ ରାସ୍ତା ଅବରୋଧ ସମୟରେ ପ୍ରଶାସନର କୌଣସି କଥାକୁ ଶୁଣାଯିବନି ବୋଲି ଅଞ୍ଚଳବାସୀ ରୋକ୍ ଠୋକ୍ କହିଛନ୍ତି ।






