ବିଞ୍ଝାରପୁର, (ବାଘୁଆବାର୍ତ୍ତା): ସାଧାରଣଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହା ସତ୍ତ୍ୱେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ। ପ୍ରତି ଗାଁକୁ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ ସରକାର ଗୁରୁତ୍ୱାରୋପ କରଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଉଛି। ହେଲେ କିଛି ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁଁ ସେହି ସୁବିଧା ଗୁଡ଼ିକର ଲାଭ ଲୋକେ ପାଇ ପାରୁ ନଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ନିର୍ମାଣଧିନ ପ୍ରକଳ୍ପ ନିର୍ମାଣରେ ବିଭାଗୀୟ ଅଧିକାରୀ ଓ ଠିକାଦାର ଲାଭବାନ ହେଉଛନ୍ତି କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ପାରୁନି । ଯାହାର ପରିଣାମ ସ୍ୱରୂପ ଜନସାଧାରଣ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ବିଭିନ୍ନ ସ୍ଥାନରେ ନଳକୂପ ମାନ ସମୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ସେଠାରେ ନୂତନ ନଳ କୂପ ସ୍ଥାପନ କରାଯାଉନାହିଁ । ଯାହାର ଉଦାହରଣ ପାଲଟିଛି ଜରୀ ପଞ୍ଚାୟତର ଅଢେଇ ସାହି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେହି ଗ୍ରାମରେ ଏକ ନଳକୂପ ଏକ ବର୍ଷ ହେବ ଖରାପ ହୋଇଯାଇଛି । ଯାହାକୁ ବିଭାଗ ଅଚଳ ଘୋଷଣା ମଧ୍ୟ କରିଦେଇଛି । ହେଲେ ଏଠାରେ ନୂତନ ନଳକୂପ ସ୍ଥାପନ କରାଯାଉନାହିଁ । ଯାହା ଫଳରେ ପାନୀୟ ଜଳ ବ୍ୟବହାର ପାଇଁ ୨୦ ପରିବାର ହନ୍ତସନ୍ତ ହେଉଛନ୍ତି । ସାହିର ମହିଳା ମାନେ ପାନୀୟ ଜଳ ବୁନ୍ଦାଏ ପାଇଁ ଜରୀ ଅଢେଇ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଫାଟକରେ ସ୍କୁଲ ଗେଟ୍ ଖୋଲା ଯିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଡ଼ୁଛି । ଖରାଦିନେ ସ୍କୁଲ ଛୁଟି ହୋଇଗଲେ ପାନୀୟ ଜଳ ବୁନ୍ଦାଏ ଆଣିବା ପାଇଁ ମହିଳାମାନଙ୍କୁ ତିନି କୋଷ ରାସ୍ତା ଯିବାକୁ ପଡୁଛି । ଜରୀ ଅଢେଇ ସାହିକୁ ତୁରନ୍ତ ପାନୀୟ ଜଳ ଯୋଗାଣ ପାଇଁ ମହିଳା ମାନେ ନିଜର ଦାବି ଉପସ୍ଥାପନା କରିଛନ୍ତି ।






