ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଠକେଇ ପାଇଁ ରାଜ୍ୟରେ କାମ କରୁଛି ଏକ ବଡ଼ ରାକେଟ୍। ଏହି ରାକେଟ୍ ଟାର୍ଗେଟରେ ଏବେ ବେକାର ଯୁବପିଢ଼ି। ଯୁବପିଢ଼ି ଚାକିରି ଅନ୍ୱେଷଣରେ ଏଣେତେଣେ ବୁଲୁଥିବା ବେଳେ ଏହି ଠକଙ୍କ ହାବୁଡ଼ରେ ପଡି ଯାଉଛନ୍ତି। ଯୁବକମାନେ ଅନ୍ଲାଇନ୍ରେ ଚାକିରି ପାଇଁ ଆବେଦନ କରୁଥିବା ବେଳେ ଠକ ସେଥିରୁ ଫୋନ୍ ନମ୍ବର ପାଇ ସେମାନଙ୍କୁ ଯୋଗାଯୋଗ କରୁଛନ୍ତି। ପରେ ସେମାନଙ୍କୁ ସହଜରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେବା ପରେ ଆଉ ଧରାଛୁଅାଁ ଦେଉନାହାନ୍ତି। ପ୍ରତିଦିନ ଏଭଳି ଠକେଇ ଘଟଣା ସାମ୍ନାକୁ ଆସୁଥିବା ବେଳେ ଗତ ୫ମାସରେ ୩ ଶହରୁ ଊର୍ଦ୍ଧ୍ବ ଠକେଇ ମାମଲା ରୁଜୁ କରିଛି ରାଜ୍ୟ ପୁଲିସ। ସେ ରେଲ୍ୱେ ଗ୍ରୁପ୍-ଡି’ରେ ଚାକିରି କରାଇ ଦେବାକୁ କହି ଆଶାୟୀଙ୍କଠାରୁ ଟଙ୍କା ଲୁଟି ନେଇଥିବା ଜଣେ ଠକକୁ ଆଜି ମୈତ୍ରୀବିହାର ପୁଲିସ ଗିରଫ କରିଛି। କଟକ ସାଇବର ଥାନା ପୁଲିସ ଏହିଭଳି ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ଜଣେ ଠକକୁ କିଛି ଦିନ ତଳେ ଗିରଫ କରିଥିଲା। ଖୋର୍ଦ୍ଧା ପୁଲିସ ମଧ୍ୟ ଏକ ଠକ ରାକେଟ୍କୁ ଗିରଫ କରିଥିଲା। ସେମାନେ ନୌସେନାରେ ଚାକିରି ଦେବାକୁ କହି ଯୁବକଙ୍କଠାରୁ ଟଙ୍କା ଠକି ନେଉଥିଲେ। ଏଥିରେ ନୌସେନାର କିଛି ପୂର୍ବତନ ଅଧିକାରୀଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି। ବଡ଼ କଥା ହେଲା, ରାଜ୍ୟର ବିଭିନ୍ନ ଜିଲ୍ଲାରେ କନ୍ସଲ୍ଟାନ୍ସି ଠକେଇ ଅନୁଷ୍ଠାନଗୁଡ଼ିକ ଗଢ଼ି ଉଠୁଛି। ଉକ୍ତ ଠକେଇ ସଂସ୍ଥାଗୁଡ଼ିକ ଠକେଇ ପାଇଁ ଜାଲ ବିଛାଉଛନ୍ତି। ଗଳିଗନ୍ଦିରେ ସେମାନେ ନକଲି୍ ବିଜ୍ଞାପନର ପୋଷ୍ଟର ମାରି ଯୁବପିଢ଼ିଙ୍କୁ ଶିକାର କରୁଛନ୍ତି। କଲେଜ କାନ୍ଥବାଡ଼ଠାରୁ ଆରମ୍ଭ କରି ସରକାରୀ ଅଫିସ୍, ସବୁଠି ଛାଇଗଲାଣି ଏହି ଜାଲ୍ ବିଜ୍ଞାପନ ପୋଷ୍ଟର। ବିଶେଷକରି ସହରାଞ୍ଚଳରେ ଅଧିକମାତ୍ରାରେ ଚାକିରି ଆଳରେ ଠକେଇ ବଢୁଛି। କେତବେଳେ ପାର୍ଟ ଟାଇମ୍ ଚାକିରି ଯୋଗାଇ ଦେବାକୁ କହି ଠକୁଛନ୍ତି ତ, ଆଉ କେତବେଳେ ସରକାରୀ ଚାକିରି ଆଳରେ ଠକୁଛନ୍ତି। ବିଭିନ୍ନ ଜିଲ୍ଲାରୁ ମଧ୍ୟବିତ୍ତ ପରିବାରର ପିଲା ଆସି ସହରରେ ପାଠ ପଢୁଛନ୍ତି। ସେମାନଙ୍କୁ ଠକିବା ପାଇଁ ଏହି ଠକ ସଂସ୍ଥା ଟାର୍ଗେଟ କରୁଛନ୍ତି। ବିଜ୍ଞାପନ ଦେଖି କଲେଜ ପିଲା ଟଙ୍କା ରୋଜଗାର ଆଶାରେ କରି ଠକଙ୍କ ଜାଲରେ ଫସିଯାଉଛନ୍ତି। ସେମାନଙ୍କୁ ଚାକିରି ଦେବା ପୂର୍ବରୁ ଟଙ୍କା ମାଗି ନେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଚାକିରି ନ ଦେଇ ଅଫିସ୍ ବନ୍ଦ କରି ଚମ୍ପଟ ମାରୁଛନ୍ତି। ସହରର ବିଭିନ୍ନ ଅଞ୍ଚଳରେ ଥିବା କନ୍ସଲଟାନି୍ସ ସଂସ୍ଥାଗୁଡ଼ିକ ଏଭଳି ଠକେଇ କରୁଛନ୍ତି। ଗତ ୧ ବର୍ଷରେ ଏଭଳି ସଂସ୍ଥା ନାମରେ ୫୦ଟି ମାମଲା ରୁଜୁ କରାଯାଇଛି। ଠକେଇ କରିବା ପାଇଁ ଏକାଧିକ ସଂସ୍ଥା ରାତାରାତି ଘର ଭଡ଼ା ନେଇ ଅଫିସ୍ ଖୋଲୁଛନ୍ତି। ସେମାନେ ବିନା ପଞ୍ଜିକରଣରେ ଏହି ନକଲି ଅଫିସ୍ ଖୋଲି ବିଭିନ୍ନ ଉପାୟରେ ଠକେଇ କରୁଛନ୍ତି। ରାଜଧାନୀରେ ହେଉଥିବା ଅଧିକାଂଶ ଠକେଇ କନ୍ସଲ୍ଟାନ୍ସି ସଂସ୍ଥା ଏବଂ ଘରୋଇ ସିକ୍ୟୁରିଟ୍ ସଂସ୍ଥା ଦ୍ୱାରା ହେଉଥିବା ଅଭିଯୋଗ ଆସୁଛି। ସେମାନେ ପିଲାଙ୍କୁ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି। କିନ୍ତୁ ଏହି ଠକ ସଂସ୍ଥା ସଂମ୍ପର୍କରେ ପୁଲିସ ନିକଟରେ କୌଣସି ତଥ୍ୟ ନଥିବାରୁ ସେମାନେ ସହଜରେ ଟଙ୍କା ଠକିବା ପରେ ଅଫିସ ବନ୍ଦ କରି ଫେରାର୍ ହୋଇଯାଉଛନ୍ତି।






