ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରଶାସନ ଏବଂ ଚାଇଲ୍ଡ ଲାଇନ୍ ମିଳିତ ଉଦ୍ୟମରେ ଦୁଇଟି ନାବାଳିକା ବିବାହ ବନ୍ଦ ହୋଇଥିବା ବେଳେ ବିବାହ ସରିଥିବା ଜଣେ ୧୬ ବର୍ଷିୟା ନାବାଳିକାକୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ, ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଓଡ଼ଗାଁ ବ୍ଲକ ଶରଣକୁଳ ନିକଟସ୍ଥ ହରିହରପୁର ଗ୍ରାମର ଗୈାରାଙ୍ଗ ପରିଡ଼ାଙ୍କ ପୁଅ ଗଙ୍ଗାଧର ପରିଡ଼ା ବିବାହ କରିଥିଲେ । ଚାଇଲ୍ଡ ଲାଇନ ଏବଂ ଆଇସିଡିଏସ୍ କର୍ମଚାରୀ ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରିବା ପରେ ସିଡବ୍ଲ୍ୟୁସିରେ ହାଜର କରିଛନ୍ତି । ନାବାଳିକାକୁ ତପସ୍ୟା ଶିଶୁ ଗୃହରେ ରଖାଯାଇଛି । ସେହିଭଳି ଭାବେ ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଦୁଇ ଜଣ ନାବାଳିକାଙ୍କ ବିବାହ କରିବା ନେଇ ସବୁ ପ୍ରସ୍ତୁତି ଚାଲିଥିବା ବେଳେ ଚାଇଲ୍ଡ ଲାଇନ ଚଢ଼ାଉ କରି ବିବାହ ବନ୍ଦ କରିଛି । ଜଣେ ନାବାଳିକା ଉକ୍ତ ଗ୍ରାମର ଜଣେ ଯୁବକଙ୍କୁ ବିବାହ କରିବାକୁ ପ୍ରସ୍ତୁତି ସରିଥିବା ବେଳେ ଅନ୍ୟ ଜଣେ ନାବାଳିକା ନୂଆଗାଁ ବ୍ଲକ ପବିତ୍ର ମହାପାତ୍ରଙ୍କୁ ବିବାହ କରିବାକୁ ପ୍ରସ୍ତୁତି ସରିଥିଲା । ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ରଶେଖର ବେହେରା, ସଞ୍ଜୟ କୁମାର ସାହୁ, ସର୍ଣ୍ଣଲତା ଜେନା, ଆସିଡିଏସ୍ ସୁପରଭାଇଜର ଅଞ୍ଚଳ ପାତ୍ର, ନୟାଗଡ଼ ଟାଉନଥାନା ପୁଲିସ ଏହି ଦୁଇଟି ନାବାଳିକା ବିବାହ ରୋକିବାରେ ସଫଳ ହୋଇଥିବା ଜଣାଯାଇଛି ।





