କଟକ, (ବାଘୁଆବାର୍ତ୍ତା): ଅନୁଗୁଳର ୨୩ ବର୍ଷର ଯୁବତୀଙ୍କ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ଏଆଇଏମ୍ଏସ୍ଏସର ରାଜ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ମୃତା ଯୁବତୀଙ୍କ ବାପା ଡିଜିପିଙ୍କୁ ସାକ୍ଷାତ କରିଛନ୍ତି । ଗତ ଏପ୍ରିଲ୍ ୨୬ ତାରିଖ ଦିନ ଯୁବତୀ ଜଣଙ୍କ ଭୁବନେଶ୍ୱର ଯିବାକୁ ଟ୍ରେନ୍ ଧରିବା ପାଇଁ ତାଳଚେର ରେଳ ଷ୍ଟେସନ ନିକଟରୁ ନିଖୋଜ ଥିଲେ । ମେ’ ୪ ତାରିଖ ଦିନ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ବଅଁରପାଳ ଥାନା ଅଧୀନ ଏକ ସ୍ଥାନରୁ ମିଳିଥିଲା । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଟୋ ଡ୍ରାଇଭରକୁ ମେ’ ୧୭ ତାରିଖରେ ଗିରଫ କରାଯାଇଛି । ନିଖୋଜ ଦିନ ଜିଆରପି ଥାନା ପୋଲିସ କୌଣସି ପ୍ରକାରର ସହଯୋଗ କରିନଥିଲେ । ଏମିତିକି ହତ୍ୟାକାରୀକୁ ଡାକି ମଧ୍ୟ ପୂର୍ବରୁ ଛାଡ଼ି ଦେଇଥିଲେ । ହେଲେ ଘଟଣାର ସଠିକ୍ ତଦନ୍ତ, ସମସ୍ତ ଆସାମୀଙ୍କୁ ଗିରଫ କରି କଠୋର ଶାସ୍ତି, କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ ବିଶେଷ କରି ଜିଆରପି ପୋଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏହି ଘଟଣାର ଅଧିକ ତଦନ୍ତ ସହ ଅନ୍ୟ କାହାର ଏହି ଘଟଣାରେ ସଂପୃକ୍ତି ଅଛି ତାହା ମଧ୍ୟ ପୋଲିସ ବାହାର କରିବା ପାଇଁ ଦାବି କରାଯାଇଛି ।






