ଭୁବନେଶ୍ୱର, (ବାଘୁଆବାର୍ତ୍ତା): କାଳବୈଶାଖୀ ପ୍ରଭାବରେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇ ପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଆଜି ସମ୍ବଲପୁରର ଦିନ ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ଛୁଇଁପାରେ । ବଲାଙ୍ଗିରରେ ୪୦, ଝାରସୁଗୁଡ଼ା, ବୌଦ୍ଧ, ବରଗଡ଼ ଓ ଟିଟିଲାଗଡ଼ରେ ୩୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ମଧ୍ୟ ପଶ୍ଚିମ ଓଡ଼ିଶା ଜଳିବ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୩୮ରୁ ୪୦ ରହିପାରେ । ସେପଟେ ଆସନ୍ତା ୪ଦିନରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରାଯାଇଛି ।






