ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ସୁଶାନ୍ତ ନାୟକଙ୍କ ହତ୍ୟା ଘଟଣା। ହତ୍ୟାକାଣ୍ଡର ବର୍ଷେ ପରେ ଆସିଲା କୋର୍ଟଙ୍କ ରାୟ । ପାଞ୍ଚ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ଶୁଣାଇଲେ ଏଡିଜେ-୨ କୋର୍ଟ । ଖବର ଅନୁଯାୟୀ, ସୁଶାନ୍ତ ନାୟକଙ୍କ ଝିଆରୀ ଅସଦାଚରଣ କରିଥିଲେ ଅଭିଯୁକ୍ତ । ଯାହାକୁ ବିରୋଧ କରିଥିଲେ ଦାଦା ସୁଶାନ୍ତ ନାୟକ । ଯେଉଁ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଦେଖୁ ଦେଖୁ ବିବାଦ ହତ୍ୟାକାଣ୍ଡର ରୂପ ନେଇଥିଲା । ହତ୍ୟାକାଣ୍ଡରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଆଉ କନ୍ଧମାଳରେ ଲୁଚି ରହିଥିଲେ । ଶେଷରେ ପୋଲିସ ସ୍ପେଶାଲ ଅପରେସନ ଜରିଆରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହତ୍ୟାକାଣ୍ଡକୁ ବର୍ଷେରୁ ଅଧିକ ସମୟ ବିତିଯାଇଛି । ଆଉ ଏବେ ଏହି ହତ୍ୟା ମାମଲାରେ ରାୟ ପ୍ରକାଶ କରିଛନ୍ତି ଏଡିଜେ-୨ କୋର୍ଟ । ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଯଦି ଜରିମାନା ଅନାଦେୟ ହୁଏ, ତେବେ ଅଧିକ ଏକ ବର୍ଷ ସଜ୍ଜା କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ ।






