ନୀଳଗିରି, (ବାଘୁଆବାର୍ତ୍ତା): ଘର ଅଗଣାରେ ଝାଡ଼ୁ କରୁଥିଲେ ବୃଦ୍ଧା । ସ୍କୁଟିରେ ଆସିଲେ ଦୁଇ ଦୁର୍ବୃତ୍ତ । ମହିଳାଙ୍କ ବେକ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ସେରଗଡ଼-ଉଦଳା ରାଜ୍ୟପଥ କଡମ୍ବସାହି ନିକଟରେ ଘଟିଠି ଏଭଳି ଲୁଟ୍ ଘଟଣା । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ନୀଳଗିରି ହାଟଛକ ପଞ୍ଚଲିଙ୍ଗେଶ୍ୱର ବାଇପାସ୍ ରାସ୍ତା କଡମ୍ବସାହି ଅଞ୍ଚଳର ୭୦ ବର୍ଷୀୟା ବୃଦ୍ଧା ଉମାମଣି ଦାସ ଘର ଆଗରେ ଝାଡୁ ମାରୁଥିଲେ । ଏହି ସମୟରେ ସ୍କୁଟିରେ ଦୁଇ ଜଣ ଯୁବକ ଆସି ପହଞ୍ଚିଥିଲେ । ପଛରେ ବସିଥିବା ଯୁବକ ଜଣକ ସ୍କୁଟିରୁ ଓହ୍ଲାଇ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଥିଲେ । ଉଭୟ ଦୁର୍ବୃତ୍ତ ସ୍କୁଟିରେ ବସି ଫେରାର ହୋଇଯାଇଥିଲେ । ଲୁଟ୍ ହୋଇଥିବା ସୁନା ଚେନ୍ର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।






