ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ବିଧାନସଭାର ଚଳିତ ଷଷ୍ଠ ଅଦିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅର୍ଥମନ୍ତ୍ରୀଙ୍କ ବଡେଟ୍ ଭାଷଣ ମଧ୍ୟ ଇ-ମୋଡରେ କାର୍ଯ୍ୟକାରୀ ହୋଇଥିଲା । ତେବେ ବିଧାନସଭାର ନିୟମିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ମଧ୍ୟ ଇ-ମୋଡରେ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି । ଏଥିପାଇଁ ଆଜି ନେଭା ସେଲକୁ ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି । ଏଥିରେ ୧୦ ଜଣ ବୈଷୟିକ ତାଲିମ ପ୍ରାପ୍ତ କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନେ ଇ-ବିଧାନସଭା ଅନ୍ତର୍ଗତ ବିଭିନ୍ନ ଆପର ବିକାଶ କରିବେ ଏବଂ ଜନସାଧାରଣ ବିଧାନସଭାରେ ହେଉଥିବା ବିଭିନ୍ନ ଆଲୋଚନାର ବିବରଣୀ ପାଇପାରିବେ । ବାଚସ୍ପତି ଡ଼ଃ. ପାତ୍ର ଏହାଦ୍ୱାରା ବିଧାନସଭା ଜନସାଧାରଣ ମଧ୍ୟରେ ସମ୍ପର୍କର ସେତୁ ଯୋଡ଼ି ହୋଇପାରିବ ବୋଲି ଆଶା ପ୍ରକାଶ କରିବା ସହ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ NIC ର କର୍ମକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥି ଶତପଥୀ NIC ର ପ୍ରାନ୍ତିୟ ମୁଖ୍ୟ ଏବଂ ବିଧାନସଭା କର୍ମଚାରୀ ମାନେ ଯୋଗ ଦେଇଥିଲେ ।





