ପୁରୀ, (ବାଘୁଆବାର୍ତ୍ତା): ସୀମା ଟପିଲା ଇସ୍କନର ମନମାନୀ । ପୁଣି ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ଚିଠି ଲେଖିବା ସହ ଅଦିନିଆ ରଥଯାତ୍ରା ଆୟୋଜନ ନ କରିବା ପାଇଁ ବୈଠକ କରିଥିଲେ ମଧ୍ୟ ନିଜ ଜିଜ୍ରେ ଅଟଳ ରହିଛି ଇସ୍କନ । ତେବେ ରବିବାର ଲଣ୍ଡନରେ ଇସ୍କନ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଏହି ସୂଚନା ଅନଲାଇନ ମାଧ୍ୟମରେ ପ୍ରଚାର କରାଯାଉଥିବା ବେଳେ ଅଧିକରୁ ଅଧିକ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀ ଏଥିରେ ସାମିଲ ହେବାକୁ ଇସ୍କନ ନିବେଦନ କରିଛି । ରଥଯାତ୍ରା ସହିତ ଯୋଗ, କୀର୍ତ୍ତନ ସମାରୋହ ଏବଂ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ ଆୟୋଜନ କରାଯାଉଥିବା ନେଇ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଫୋନ୍ ନମ୍ବରରେ ମଧ୍ୟ ଅନଲାଇନ ମାଧ୍ୟମରେ ପ୍ରଚାର କରାଯାଉଛି । ତେବେ ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଜଣାପଡ଼ିବା ପରେ ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାପ୍ରଭୁଙ୍କ ସଂସ୍କୃତିକୁ ପ୍ରଚାର ପ୍ରସାର ଆଳରେ ଇସ୍କନ ଯେଭଳି ଅସମ୍ମାନ କରୁଛି ସେନେଇ ଇସ୍କନ ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । ଲଣ୍ଡନରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ ହେଉଥିବା ବେଳେ କେନ୍ଦ୍ର ଏବଂ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଇସ୍କନର ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଦାବି କରିଛନ୍ତି । ବିଦେଶରେ ଇସ୍କନ ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଇସ୍କନ ସହିତ ଏକ ସ୍ବତନ୍ତ୍ର ବୈଠକରେ ଆଲୋଚନା କରିଥିଲେ । ତେବେ ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଇସ୍କନର ଅନ୍ତର୍ଜାତୀୟ ସଂଗଠନକୁ ଅବଗତ କରାଯିବ ବୋଲି ଭାରତର ଇସ୍କନ ମୁଖ୍ୟ କହିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଜଗନ୍ନାଥପ୍ରେମୀଙ୍କ ବିରୋଧ ସତ୍ତ୍ଵେ ଇସ୍କନ ଏହାକୁ ଗ୍ରହଣ ନକରିବା ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ପ୍ରତିବର୍ଷ ରଥଯାତ୍ରା ଆୟୋଜନ ନେଇ ଏକ ନିର୍ଦ୍ଦିଷ୍ଟ ତିଥି ଥିବାବେଳେ ଏହାକୁ ଇସ୍କନ ନମାନିବା ଜଗନ୍ନାଥ ସାଂସ୍କୃତିକ ଅପମାନ ବୋଲି ଅଭିଯୋଗ ହୋଇଆସୁଛି । ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ପୂର୍ବରୁ ଇସ୍କନକୁ ସୂଚନା ଦିଆଯାଇଛି । ଏହା ସତ୍ତ୍ୱେ ଅଦିନିଆ ରଥଯାତ୍ରା ଇସ୍କନ ଆୟୋଜନ କରିବା ଠିକ୍ ନୁହେଁ । ଏହି ଅଦିନିଆ ରଥଯାତ୍ରା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।






