ବାଙ୍କୀ, (ବାଘୁଆବାର୍ତ୍ତା): କଟକ ଜିଲ୍ଲା ବାଙ୍କୀ କୁଶପଙ୍ଗୀ ଗାଁରେ ଅଘଟଣ । ଧାନ ବିଲକୁ ଯାଉଥିବା ବେଳେ ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ କୁଶପଙ୍ଗୀ ଗାଁର ଗନ୍ଧର୍ବ ଘଡେଇ, ତାଙ୍କ ବୟସ ୬୦ ବର୍ଷ ହେବ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ସବୁଦିନ ଭଳି ଶନିବାର ସକାଳୁ ଗନ୍ଧର୍ବ ଗହିରରେ ଥିବା ନିଜ ଧାନ ବିଲକୁ ଦେଖିବା ପାଇଁ ଯାଇଥିଲେ । ହଠାତ୍ ବିଲ ହୁଡ଼ାରୁ ତାଙ୍କ ଗୋଡ଼ ଖସିଯାଇଥିଲା । ଯାହାଫଳରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଆଉ ଘଟଣାସ୍ଥଳରେ ଅଚେତ ହୋଇ ପଡିଯାଇଥିଲେ । ସାଥୀରେ କେହି ନଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲେ । ତେବେ ସକାଳୁ ସକାଳୁ ଗାଁର ଅନ୍ୟ ଲୋକମାନେ ବିଲକୁ ଯିବାବେଳେ ଗନ୍ଧର୍ବଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସ ଓ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ଯାହାପରେ ବିଦ୍ୟୁତ ବିଭାଗର ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।






