ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ, ବାଚସ୍ପତିଙ୍କ ପ୍ରତିନିଧି, ପୁରୀ ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଆଗାମୀ ବର୍ଷାଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଏଜେଣ୍ଡା ଅନୁଯାୟୀ ଆଲୋଚନା କରି କହିଥିଲେ ଯେ, ଆମ ଭାରତରେ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଏକ ନମ୍ବର ଅଛି ଏବଂ ଆମ ରାଜ୍ୟ ଅନ୍ୟ ରାଜ୍ୟଗୁଡ଼ିକୁ ଦିଗଦର୍ଶନ ଦେଉଛି । ଆମ ଜିଲ୍ଲାକୁ ବିପର୍ଯ୍ୟୟ ପରିଚାଳନାରେ ଏକ ନମ୍ବର ଜିଲ୍ଲା କରିବାକୁ ଆମର ସଦାସର୍ବଦା ପ୍ରଚେଷ୍ଟା ରହିବ । ବିପର୍ଯ୍ୟୟ ପୂର୍ବରୁ, ପରେ ଏବଂ ବିପର୍ଯ୍ୟୟ ସମୟରେ କଣ ସବୁ ବ୍ୟବସ୍ଥା କରିବାକୁ ପଡ଼ିବ ସେଥି ପାଇଁ ସବୁ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ହ୍ୱାଟସ୍ଆପ୍ ଗ୍ରୁପ୍, କଂଟ୍ରୋଲ ରୁମ ଖୋଲିବା, ପାନୀୟ ଜଳ ବିଶୁଦ୍ଧି କରଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ, ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିୟୋଜିତ କରିବା ଇତ୍ୟାଦି ବିଷୟରେ ପରାମର୍ଶ ଦେଇଥିଲେ । ବ୍ଲକ ସ୍ତରରେ ନିର୍ବାଚିତ ଜନ ପ୍ରତିନିଧି, ସମସ୍ତ ବିଭାଗୀୟ ଅଧିକାରୀ, ଲାଇନ ବିଭାଗର ଅଧିକାରୀ ଏବଂ ସେ ଅଞ୍ଚଳର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କୁ ନେଇ ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ବୈଠକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ କଣ୍ଟ୍ରୋଲ ରୁମ ସହ ମୋବାଇଲ ସେବାକୁ ସର୍ବଦା ସକ୍ରିୟ ରଖିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଗଣିଆ, ଛାମୁଣ୍ଡିଆ, ଭାପୁର ଆଦି ଅଞ୍ଚଳରେ ପାଓା୍ୱର ବୋଟ୍ ଏବଂ ଦେଶୀ ଡଙ୍ଗା ଗୁଡ଼ିକୁ ସକ୍ରିୟ ରଖିବା ପାଇଁ ସଂପୃକ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ଅଧିକାରୀମାନେ ଯଥା ସିଡିଏମଓ, ସିଡିଭିଓ, ଜଲସେଚନ, ବିଦ୍ୟୁତ୍, ଦୂରସଂଚାର, ଯୋଗାଣ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, କୃଷି, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି ବିଭାଗର ଅଧିକାରୀମାନେ ବର୍ଷା, ବନ୍ୟା,ବାତ୍ୟା ବିତ୍ପାତ ଅଞ୍ଚଳରେ ପିଡ଼ିତ ଲୋକଙ୍କୁ କିପରି ଉଦ୍ଧାର ଓ ଥଇଥାନ କରିବେ ତାହା ଉପରେ ବିଭାଗୀୟ ପ୍ରସ୍ତୁତି ବୈଠକରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆମ ଜିଲ୍ଲାରେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଆପଦ ମିତ୍ରଙ୍କୁ ତାଲିମ ପ୍ରଦାନ କରାଯାଇଛି ଏବଂ ସେମାନଙ୍କୁ ଆବଶ୍ୟକୀୟ ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ସ୍ୱାଇଁ ବିଭିନ୍ନ ସ୍ଥାନରେ ଥିବା ବନ୍ଧ ସବୁ ଦୁର୍ବଳ ଅବସ୍ଥାରେ ରହିଥିବାରୁ ଉଦବେଗ ପ୍ରକାଶ କରିଥିଲେ । ବନ୍ୟା ସମୟରେ ନିକଟସ୍ଥ ଗ୍ରାମଗୁଡ଼ିକ ଦୀର୍ଘଦିନ ଧରି ଜଳମଗ୍ନ ହୋଇ ରହୁଛି ବୋଲି କହିଥିଲେ । ଏହାର ପ୍ରତିକାର ନିମନ୍ତେ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କୁ ସ୍ଥାନାନ୍ତରଣ କରିବା ସମୟରେ ସହଯୋଗ କରିବା କଥା କହିଥିଲେ । ପରେ ପରେ ବିଭିନ୍ନ ବିଭାଗର ଅଧିକାରୀ ସେମାନଙ୍କର ସମସ୍ତ ପ୍ରସ୍ତୁତି ବିଷୟରେ ବୈଠକରେ ପ୍ରକାଶ କରିଥିଲେ । ଆବଶ୍ୟକ ସ୍ଥାନରେ ଚୁଡ଼ା ଗୁଡ଼, ମହମବତୀ, ଦିଆସିଲି, କିରୋସିନ ଆଦି ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିଭଳି ଆବଶ୍ୟକୀୟ ଔଷଧପତ୍ର, ଓ.ଆର.ଏସ. ପାଉଡର, ସାପ କାମୁଡ଼ା ଔଷଧ ଆଦି ମହଜୁଦ ରଖିବା ପାଇଁ କୁହାଯାଇଛି । ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବନ୍ୟା ସମୟରେ ନଦୀବନ୍ଧ ଯେପରି ଭାଙ୍ଗି ନଯିବ, ମହାନଦୀ କୂଳରେ ଥିବା ଦୁର୍ବଳ ସ୍ଥାନରେ ସୁବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ସମସ୍ତ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର, ସମସ୍ତ ନିର୍ବାହୀ ଅଧିକାରୀ ଯୋଗଦାନ କରିଥିଲେ । ତପତୀ ରାଜ,ଡେପୁଟୀ କଲେକ୍ଟର ଜରୁରୀକାଳିନ ବିଭାଗ ଏହି ବୈଠକକୁ ପରିଚାଳନା କରିଥିଲେ ।






