ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନକୁ ଗୁରୁତ୍ୱ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦର ‘ସୃଜନ’ ସମ୍ମିଳନୀ କକ୍ଷରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ସ୍ୱାଗତ ଭାଷଣ ରଖିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଡିଏସ୍ପି ଡୋମେନ ଚରଣ ଟୁଡୁ, ଜିଲ୍ଲା ଯୋଜନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ବିଧାୟକ ଡ. ସାହୁ ପ୍ରଥମେ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ସମସ୍ୟା ଏବଂ ଭିତ୍ତିଭୂମୀ ସମ୍ପର୍କରେ ପଚାରି ବୁଝିଥିଲେ । କେତେ ଡାକ୍ତର ଆବଶ୍ୟକ ଅଛି ତାହାର ଏକ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ପଠାଇବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଆଇସିୟୁ କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା କରିବା ସହ ଏହାର କାରଣକୁ ନେଇ ଖୋଳତାଡ଼ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସ୍ଥାନରେ ଚାଲିଥିବା ଭିତ୍ତିଭୂମୀ ନିର୍ମାଣ କାର୍ଯ୍ୟରେ ଆସିଷ୍ଟାଣ୍ଡ ଇଞ୍ଜିନିୟର କାମ ଦେଖୁନଥିବା ଏବଂ କାମ ତ୍ୱରାନ୍ୱିତ ହେଉନଥିବା ବିଧାୟକ ମତ ଦେଇଥିଲେ । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଜମି ପଟ୍ଟା ସମସ୍ୟା ସମ୍ପର୍କରେ ପଚାରିବା ସହ ତୁରନ୍ତ ସେ ସବୁ ସମାଧାନ କରିବାକୁ କହିଥିଲେ । ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଜମିକୁ ମହାବିଦ୍ୟାଳୟ ନାମରେ କରିବା ଉପରେ ଓଡ଼ଗାଁ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୃଷି ବିଭାଗ ସମୀକ୍ଷା କରି ପିଏମ୍ କିଷାନ୍ ଓ ସିଏମ୍ କିଷାନ ହିତାଧିକାରୀଙ୍କ ସଂଖ୍ୟାରେ ରହିଥିବା ଫରକ କାରଣ ପଚାରିଥିଲେ । ଅନେକ ଚାଷୀ ସିଏମ କିଷାନ ଅନ୍ତଭୁକ୍ତ ହୋଇଥିବା ବେଳେ ପିଏମ୍ କିଷାନରୁ ବଞ୍ଚିତ ହେଉଥିବା ସମୀାକ୍ଷାରେ ଜଣାପଡ଼ିଥିଲା । ଏଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ମେଗା ଫାର୍ମ ପାଇଁ ତିନିବର୍ଷ ତଳୁ ୩ କୋଟି ଟଙ୍କା କୃଷି ବିଭାଗ ଅଧିନରେ ପଡ଼ି ରହିଥିବାରୁ ଏହାକୁ କାର୍ଯ୍ୟକାରି କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡିଆରସିଏସ ଜିଲ୍ଲାର ଧାନ ମଣ୍ଡି ଏବଂ ପ୍ୟାକ୍ସ ଗୁଡ଼ିକର ଭିତ୍ତିଭୂମୀ ସମ୍ପର୍କରେ ସୂଚନା ଦେଇଥିଲେ । ଯୋଗାଣ ଅଧିକାରୀ ଜିଲ୍ଲାରେ ଧାନକିଣାରେ ବୃଦ୍ଧି ଘଟିଥିବା କହିଥିଲେ । ମତ୍ସ୍ୟ ବିଭାଗର ମାଛଚାଷ ସମସ୍ୟା ଏବଂ ତାହାର ଉତ୍ପାଦନ ହ୍ରାସ ନେଇ ବିଧାୟକ ଉଦବେଗ ପ୍ରକାଶ କରିଥିଲେ । ପ୍ରାଣୀ ଚିକିତ୍ସା ବିଭାଗର ଗାଈ, ଘୁଷୁରି, ଛେଳି, ଠେକୁଆ ଚାଷ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ଜିଲ୍ଲାରେ ୧୪ ହଜାର ୬ ଶହ ୮୦ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ୩୫୦୦ ଟଙ୍କା ଭତ୍ତା ପାଉଥିବା ବେଳେ ୩ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀ ବଞ୍ଚିତ ହୋଇଥିବା ସୂଚନା ଦେଇଥିଲେ ।

ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୁଆଣ୍ଟ ବ୍ରିଜ୍ କାମ, କଲ୍ୟାଣ ମଣ୍ଡପ କାମ ଓ ବିଭିନ୍ନ ରାସ୍ତା ନିର୍ମାଣ କାମ ତ୍ୱରାନ୍ୱିତ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ବନବିଭାଗକୁ ବରକନ୍ୟା କାମ ଓ ବଲାଙ୍ଗୀ ପାର୍କ କାମକୁ କିଭଳି ତ୍ୱରାନ୍ୱିତ କରିବା ସେ ବାବଦରେ ପଦକ୍ଷେପ ନେବାକୁ ବିଧାୟକ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଜଳସେଚନ ବିଭାଗ କୁସୁମୀ ପ୍ରକଳ୍ପ କାମ, ବୁଢ଼ାବୁଢ଼ୀଆଣି ଡ୍ୟାମ କାମ ବିଷୟରେ ଆଲୋଚନା ହୋଇଥିଲା । ବିଦ୍ୟୁତ୍ ବିଭାଗ ଦ୍ୱାରା ନୟାଗଡ଼ ସହରରେ ୩୩ କେଭି ସବଷ୍ଟେସନ ନିର୍ମାଣ କରିବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ ।

ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ମିଶନ ଶକ୍ତି, ଏମପି ଲ୍ୟାଡ୍, ଓଡ଼ଗାଁ ଏନଏସି, ଅବକାରୀ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଆରଏମସି, ଜନସ୍ୱାସ୍ଥ୍ୟ, କ୍ରୀଡ଼ା ବିଭାଗ, ଉଠା ଜଳସେଚନ ବିଭାଗ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଶେଷରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା କାର୍ଯ୍ୟଗୁଡ଼ିକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ସେ ସବୁର ତ୍ୱରିତ ସମାଧାନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ସେ ନିଜେ ମଧ୍ୟ ଆବଶ୍ୟକ ସହଯୋଗ କରି ସମାଧାନ କରିବାକୁ କହିଥିଲେ । ନୟାଗଡ଼ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କାମନା କରିବା ସହ ଜିଲ୍ଲା ବିକାଶକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ଅଧିକାରୀ, ଜନପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।






