ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା । ନକଲି ନୋଟ୍ ଦେଇ ଜିନିଷ କିଣିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଏହାସହିତ ମୁଖ୍ୟ ଅଭିଯୁକ୍ତର ଘରେ ଚଢାଉ କରି ୨ଲକ୍ଷ ୭୨ ହଜାର ଟଙ୍କା ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ନକଲି ନୋଟ କାରବାରରେ ଗିରଫ ସଂଖ୍ୟା ଦୁଇରେ ପହଞ୍ଚିଛି । ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଆନନ୍ଦ ବଜାର ଠାରେ ଗତ ୧୦ ତାରିଖ ଦିନ ଜଣେ ବ୍ୟକ୍ତି କ୍ରିମ୍ କିଣିବା ବାହାନାରେ ନକଲି ନୋଟ୍ ଦେଇଥିଲେ । ପରେ ପୁଣି ୨ ଶହ ଟଙ୍କିଆ ନୋଟ୍ ବଦଳ ପାଇଁ ଦେଇଥିବା ବେଳେ ସ୍ଥାନୀୟ ଲୋକ ନକଲି ନୋଟ ବିଷୟରେ ଜାଣିଥିଲେ । ହେଲେ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଦୌଡି ପଳାଉଥିଲେ । ଗ୍ରାମବାସୀମାନେ ପିଛା କରି ଯୁବକଙ୍କୁ ବାନ୍ଧି ପୋଲିସର ହସ୍ତାନ୍ତର କରିଥିଲେ। ଯୁବକ ନିକଟରୁ ପୋଲିସ ୭୧୦୦ ଟଙ୍କାର ନକଲି ଟଙ୍କା ଜବତ କରିବା ସହ କୋର୍ଟ ଚାଲାଣ କରିଥିଲା । ଗିରଫ ଯୁବକଙ୍କ ବୟାନ ଆଧାରରେ ପୋଲିସ ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ୨ ଲକ୍ଷ ୭୨ ହଜାର ୮ ଶହ ଟଙ୍କାର ନକଲି ନୋଟ ମିଳିବା ପରେ ଚନ୍ଦ୍ରମଣି ବଳ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା । ଚନ୍ଦ୍ରମଣି ବଳ ନାଁରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରେ ଏହି ନକଲି ନୋଟ୍ କାରବାର ନେଇ ଅଭିଯୋଗ ରହିଥିବା ଗ୍ରାମାଞ୍ଚଳ ଏସଡିପିଓ ପ୍ରେସ୍ମିଟ୍ କରି ସୂଚନା ଦେଇଛନ୍ତି । ଚନ୍ଦ୍ରମଣିଙ୍କୁ ରିମାଣ୍ଡରେ ଅଣିବା ପରେ ଏହି ଜାଲ୍ ନୋଟ୍ କାରବାରରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାହା ଜଣାପଡିବ ବୋଲି ଗ୍ରାମାଞ୍ଚଳ ଏସଡିପିଓ ବିଚିତ୍ରା ନନ୍ଦ ସେଠୀ କହିଛନ୍ତି ।






