ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ ନିଖୋଜ ହୋଇଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ପୁଲିସ ନୂତନ ପନ୍ଥା ଅବଲମ୍ବନ କରିଛି । ଯାହାଫଳରେ ଓଡ଼ିଶା ପୁଲିସକୁ ସଫଳତା ମିଳିଥିବା ଜଣାପଡିଛି । ରାଜ୍ୟରେ ନିଖୋଜ ହୋଇଥିବା ଶିଶୁମାନଙ୍କୁ ଖୋଜିବା ପାଇଁ ଫେବୃୟାରୀ ୨୮ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ଚଳିତ ମାସ ୮ତାରିଖ ପର୍ଯ୍ୟନ୍ତ ୪୦୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରେ ୩୨୨ଜଣ ବାଳିକା ଥିବା ବେଳେ ୮୨ଜଣ ବଳକଙ୍କୁ ଉଦ୍ଧାର ହୋଇଛନ୍ତି । ଉପରୋକ୍ତ ଶିଶୁମାନଙ୍କ ମଧ୍ୟରୁ ୩୩୮ଜଣ ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଥିବା ମୋକଦ୍ଦମା ସମ୍ବନ୍ଧୀୟ ଉଦ୍ଧାର କରାଯାଇ ସେମାନଙ୍କର ଅଭିଭାବକ ମାନଙ୍କୁ ହସ୍ତାନ୍ତର କରାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନକୁ କିଛି ଏସପି ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଧିକ ୪୪ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ୪୧ ଓ ବାଲେଶ୍ୱର ଜିଲ୍ଲାର ୩୮ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।





