ଭୁବନେଶ୍ବର, (ବାଘୁଆବାର୍ତ୍ତା): ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ୧୫ଦିନ ପରେ ଭାରତ ମଧ୍ଯ ଗତକାଲି ବିଳମ୍ବିତ ରାତିରେ ବଦଲା ନେଇଛି। ମକ୍ଡ୍ରିଲ ପୂର୍ବରୁ ଭାରତ ଆତଙ୍କବାଦ ବିରୋଧରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଛି। ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେରେ ବଡ଼ଧରଣର ଆକ୍ରମଣ କରିଛି। ବୁଧବାର ରାତି ୧ଟା ୧୫ରେ କ୍ଷେପଣାସ୍ତ୍ର ମାଡ଼ କରି ପ୍ରମୁଖ ୯ଟି ଆତଙ୍କବାଦୀ କେନ୍ଦ୍ର ଧ୍ବଂସ କରିଦେଇଛି। ଆତଙ୍କବାଦୀ ଓ ଏହାର ସମର୍ଥକଙ୍କୁ ମାଟିରେ ମିଶାଇ ଦେଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାରି ମଧ୍ଯରେ ସାଧାରଣ ଜନତାଙ୍କ ଆତ୍ମରକ୍ଷାକୁ ଗୁରୁତ୍ବ ଦିଆଯାଇଛି। କୌଣସି ପରିସ୍ଥିତିରେ ଶତ୍ରୁପକ୍ଷ ଆକ୍ରମଣରୁ ଜୀବନ ରକ୍ଷା ଲାଗି ଭାରତ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି। ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ଏହି ମକ୍ଡ୍ରିଲ୍ କରାଯିବ। ଲୋକଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସଚେତନ ଓ ସୁରକ୍ଷା ପ୍ରଦାନ ପାଇଁ ଏହି ମକ୍ଡ୍ରିଲ୍ କରାଯାଉଛି। ଶତ୍ରୁ ଆକ୍ରମଣ ସ୍ଥିତିରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ଅପରାହ୍ଣ ୪ଟାରେ ଓଡ଼ିଶାର ୧୨ ଜିଲ୍ଲାରେ ଏହି ମକ୍ଡ୍ରିଲ କରାଯାଇଛି। ୫ ମିନିଟ୍ ଧରି ସାଇରନ ବାଜିବା ମାତ୍ରେ ଲୋକେ ସୁରକ୍ଷିତ ସ୍ଥାନକୁ କିପରି ଯିବେ ତାହାର ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ଶତ୍ରୁପକ୍ଷରୁ ଆକାଶମାର୍ଗରୁ ବୋମା ବର୍ଷଣ ହେଲେ କିପରି ଆତ୍ମରକ୍ଷା କରିବେ ତାହାର ମକ୍ଡ୍ରିଲ୍ କରାଯାଇଥିଲା। ଏହି ସମୟରେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ, ତା’ର କିପରି ମୁକାବିଲା କରାଯିବ, ସେନେଇ ମଧ୍ୟ ବେସାମରିକ ସୁରକ୍ଷା ଅର୍ଥାତ ସିଭିଲ ଡିଫେନ୍ସ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଛି।





