ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳାର ଚତୁର୍ଥ ଦିନରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ‘ଉଦ୍ୟୋଗରେ ମହିଳାମାନଙ୍କ ଯୁଗ’ ଆଲୋଚନାଚକ୍ର ବାଣିଜ୍ୟ ମେଳା ପରିସରରେ ଅବସ୍ଥିତ ସେମିନାର ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ଏମ୍ଏସ୍ଏମ୍ଇ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ମାନସୀ ମାନ୍ଧାତା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ଅବସରରେ ରାଜ୍ୟରେ ମହିଳା ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଶତକଡ଼ା ୩୩ ଭାଗ ସଂରକ୍ଷିତ ରହିଛି ବୋଲି ପ୍ରକାଶ କରିଥିଲେ । ଅଦ୍ୟାବଧି ୯୪୯ ଷ୍ଟାର୍ଟ ଅପ୍ ମଧ୍ୟରୁ ୩୨୦ଟି ଷ୍ଟାର୍ଟ ଅପ୍ ମହିଳା ଉଦ୍ୟୋଗୀଙ୍କ ନାମରେ ପଂଜୀକରଣ କରାଯାଇଛି । ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ହିତାଧିକାରୀଙ୍କ ନିମନ୍ତେ ୪୦ ହଜାର ଟଙ୍କା ସିଡ୍ କ୍ୟାପିଟାଲ୍ ଦିଆଯାଉଛି । ମିଶନ ଶକ୍ତି ଓ ଏମ୍ଏସ୍ଏମ୍ଇ ବିଭାଗ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା ଅନୁଯାୟୀ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ରାଜ୍ୟ ସରକାର ସେମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି । କ୍ଲଷ୍ଟର ମୋଡ୍ରେ ମଧ୍ୟ ଏହା କରାଯାଉଛି ବୋଲି ସେ କହିଥିଲେ । ମିଶନ ଶକ୍ତି ମାଧ୍ୟମରେ ପ୍ରତିନିଧିତ୍ୱ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ହିତାଧିକାରୀ ଶ୍ରୀମତୀ ସୁଶୀଳା ଟପ୍ନୋ, ଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ, ନୂଆଗାଁ ବ୍ଲକ୍, ସୁନ୍ଦରଗଡ଼, ରାୟଗଡ଼ା ଜିଲ୍ଲା ରଘୁନାଥପୁରର କୁମାରୀ ପାଳକା (ମା’ ଅଗ୍ନିଗଙ୍ଗମା ପିଜି), କଟକ, ମଧୁପାଟନାର ମା’ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ଶ୍ରୀମତୀ କବିତା ସାହୁ, ଖୋର୍ଦ୍ଧା ବାଲିପାଟଣା ମା’ ଅମୃତା ଲୋଚନୀ ତାଳପତ୍ର ଓ ପଟ୍ଟଚିତ୍ର ଏସ୍ଏଚ୍ଜିର ସୁଜାତା ସ୍ୱାଇଁ, କେନ୍ଦୁଝର ଜିଲ୍ଲା ଗୋବର୍ଦ୍ଧନ ଗ୍ରାମର ମା’ମଙ୍ଗଳା ଏସ୍ଏଚ୍ଜିର ପ୍ରେମଲତା ସାହୁ, ନବରଙ୍ଗପୁର ଜିଲ୍ଲା ଚୂଡ଼ାହାଣ୍ଡିର ମା’ ବନଦୁର୍ଗା ଏସ୍ଏଚ୍ଜିର ଶ୍ରୀମତୀ ନୀଳମଣି କାଠି, ଗଞ୍ଜାମ ଦେବାଶିଷ ଏସ୍ଏଚ୍ଜିର ସୁଦେଶନା ସାହୁ, ଅନୁଗୋଳ ଜିଲ୍ଲା ମା’ପାର୍ବତୀ ଏସ୍ଏଚ୍ଜିର ସୁଲୋଚନା ଦଳେଇ, ଋତୁପୂର୍ଣ୍ଣା ନାୟକ, ଢେଙ୍କାନାଳ ଜିଲ୍ଲା ଓ ନମଃ ଶିବାୟ ଏସ୍ଏଚ୍ଜିର ସୁଷମା ଭୋଇ ନୂଆପଡ଼ା ଜିଲ୍ଲାର ପୁଷ୍ପାଞ୍ଜଳି ମହାନନ୍ଦା ସେମାନଙ୍କର ସଫଳ କାହାଣୀ ଆଲୋଚନାଚକ୍ରରେ ଉପସ୍ଥାପନ କରିଥିଲେ ।
ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ, ଡିଆଇ, କଟକର ଉପନିର୍ଦ୍ଦେଶକ ମିସ୍ ନୀତିଶ ମାନ୍ ମହିଳା ଉଦ୍ୟୋଗୀମାନଙ୍କର ଆର୍ଥିକ ସୁରକ୍ଷା ଓ ପୁରୁଷ ପ୍ରାଧାନ୍ୟ ମାଜରେ ସ୍ୱାଧୀନ ଭାବେ କାର୍ଯ୍ୟ କରିବା ପାଇଁ ସାହସ ପ୍ରଦର୍ଶନ କରିବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ନେକ୍ସସ୍ ପାୱାର ଯୁଗ୍ମ ପ୍ରତିଷ୍ଠାତା କୁମାରୀ ନିଶୀଥା ବଳିୟାରସିଂ ତାଙ୍କ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ତାଙ୍କ ମା’ଙ୍କର ପ୍ରେରଣା ଏବଂ ସମ୍ମୁଖୀନ ହୋଇଥିବା ସମସ୍ତ ଝଡ଼ଝଞ୍ଜାର କାହାଣୀ ବର୍ଣ୍ଣନା କରିଥିଲେ । ମାନଭି ଡିଜାଇନିଂର ପ୍ରତିଷ୍ଠାତା ଶ୍ରୀମତୀ ସ୍ମରଣିକା ମହାପାତ୍ର ଉଦ୍ୟୋଗ ପ୍ରତିଷ୍ଠା କୌଶଳ ଓ ନିଜ ବ୍ରାଣ୍ଡ ସୃଷ୍ଟି ବିଷୟରେ କହିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଆଲୋଚନା ଚକ୍ରରେ ଯୋଗଦେଇ ମିଶନ ଶକ୍ତି ବିଭାଗ ଆଜି ୮୦ ଲକ୍ଷ ମହିଳାଙ୍କର କିପରି ଆର୍ଥିକ ପ୍ରଗତିରେ ସହାୟକ ହୋଇପାରୁଛି ଏବଂ ଓଡ଼ିଶା ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳାରେ ସେମାନଙ୍କର ହ୍ୟାଙ୍ଗର ଏକ ଆକର୍ଷଣ ହୋଇପାରିଛି ବୋଲି ସୂଚନା ଦେଇଥିଲେ । ୨୦୨୧-୨୨ ଆର୍ଥିକ ବର୍ଷରେ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୬ ହଜାର କୋଟି ଋଣ ଦେବା ପାଇଁ ପରିକଳ୍ପନା ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଚିହ୍ନଟ କରାଯାଉଥିବା କହିଥିଲେ । ପ୍ରମୁଖ ସଚିବ ଶ୍ରୀ ସାହୁ ସମସ୍ତ ସଫଳ ସ୍ୱୟଂ ସହାୟିକା ଗୋଷ୍ଠୀ, ସଫଳ ଉଦ୍ୟୋଗୀ ମହିଳାମାନଙ୍କୁ ଉପଢୌକନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା ଦେଇଥିଲେ । ସଫଳ ଉଦ୍ୟୋଗୀ ସଂଘମିତ୍ରା ଜେନା, ଶ୍ରୀମତୀ ନାଦିଆ ଅଲ୍ଲୀ, ଡ. ଚିଦାତ୍ମିକା ଖଟୁଆ ସେମାନଙ୍କ ସଫଳ ଯାତ୍ରାର ବିବରଣୀ ପ୍ରଦାନ କରିଥିଲେ । ଆଲୋଚନା ଚକ୍ର ଶେଷରେ ଶିଳ୍ପ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ସୁଶ୍ରୀ ମୀନାକୁମାରୀ ବେହେରା ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ ଅବସରରେ ମିଶନ ଶକ୍ତି ମା’ମାନେ ଆମର ପ୍ରକୃତ ଉଦ୍ୟୋଗୀ ଓ ରାଜ୍ୟର ସମସ୍ତ ମହିଳା ଉଦ୍ୟୋଗୀମାନେ ସେମାନଙ୍କର ପଥ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ । ମହିଳାମାନେ ପୁରୁଷମାନଙ୍କ ସହ ସମକକ୍ଷ ଏବଂ ସେମାନଙ୍କର ନୂତନ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ । ଆଲୋଚନାଚକ୍ରରେ ସମସ୍ତ ଜିଲ୍ଲାର ଶତାଧିକ ମହିଳା ଯୋଗଦେଇଥିଲେ ।





