ନୟାଗଡ଼, (ବାଘୁଆବାର୍ତ୍ତା): ପୃଥିବୀ ସାମ୍ରାଜ୍ୟବାଦ, ଉପନିବେଶବାଦ ଓ ପୁଞ୍ଜିବାଦର ଦଂଶନରେ ତ୍ରାହି ତ୍ରାହି ଡାକୁଥିଲା ବେଳେ ସର୍ବହରା ଶ୍ରେଣୀ ମୁକ୍ତିମନ୍ତ୍ରର ଉଦଗାତା କାର୍ଲମାର୍କ୍ସ ୧୮୧୮ ମସିହା ମଇ ୫ ତାରିଖରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ଲେଖା କମ୍ୟୁନିଷ୍ଟ ଇସ୍ତାହାର ଓ ଦାସ୍ କ୍ୟାପିଟାଲ ସାରା ବିଶ୍ୱରେ ନିପୀଡିତ ଶ୍ରେଣୀର ମୁକ୍ତି ଆନ୍ଦୋଳନକୁ ଚଳଚଞ୍ଚଳ କରିଥିଲା ଏବଂ ପ୍ୟାରିକମ୍ୟୁନ୍, ଆମେରିକା ଚିକାଗୋର ଶ୍ରମିକ ଆନ୍ଦୋଳନ, ଋଷ୍ ବିପ୍ଳବ, ଭାରତର ସ୍ଵାଧୀନତା ସଂଗ୍ରାମରେ ମାର୍କସବାଦ ମୁଖ୍ୟ ଚାଳିକାଶକ୍ତି ଭାବରେ କାର୍ଯ୍ୟ କରିଥିଲା ବୋଲି ବର୍ଣ୍ଣନା କରି ଆସନ୍ତା ମଇ ୨୦ ହରତାଳକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ସିଆଇଟିୟୁ ନେତା ବିଶ୍ଵନାଥ ମହାପାତ୍ର । କମ୍ରେଡ ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଳନରେ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ମଇ ୨୦ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଚଳିତ ସହସ୍ରାବ୍ଦର ଶ୍ରେଷ୍ଠତମ ଦାର୍ଶନିକ ତଥା ଜନନାୟକ କାର୍ଲମାର୍କ୍ସଙ୍କ ଶ୍ରେଣୀ ସଂଗ୍ରାମର ଦର୍ଶନ ଆଜିର ନବ୍ୟ ପୁଞ୍ଜିବାଦୀ ଶୋଷଣବାଦୀ ଦୁନିଆରେ ଅଧିକ ପ୍ରାସଙ୍ଗିକ ହୋଇ ପଡିଛି ବୋଲି ଲାଠିପଡାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା ।






