ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆମ ରାଜ୍ୟରେ ସାଧାରଣତଃ ପ୍ରତ୍ୟେକ ବର୍ଷ ଫେବୃଆରୀ ୧୫ରୁ ଜୁନ୍ ୧୫ ପର୍ଯ୍ୟନ୍ତ ‘ଅଗ୍ନି ଋତୁ’ ବୋଲି ବିବେଚନା କରାଯାଇଥାଏ । ବିଗତ କିଛିଦିନ ହେବ, ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଗତ ୩୦ ଦିନ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ସମୁଦାୟ ୧ ହଜାର ୪୨୮ଟି ଫାୟାର ପଏଣ୍ଟରେ ନିଆଁ ଲାଗିଥିଲା । ଏ ସମସ୍ତ ଫାୟାର ପଏଣ୍ଟକୁ ଲିଭାଇବା ପାଇଁ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ଉଚ୍ଚ ତାପମାତ୍ରା ସହ ଶୁଖିଲା ପାଗ ଯୋଗୁଁ ଏହି ଜଙ୍ଗଲରେ ନିଆଁ ଲାଗିବା ବୃଦ୍ଧି ପାଇଛି । କେତେକ ସ୍ଥାନରେ ଖଳ ପ୍ରକୃତିର ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲରେ ନିଆଁ ଲଗାଉଥିବା ନଜରକୁ ଆସିଅଛି । ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଶିମିଳିପାଳ ଅଞ୍ଚଳରେ ସମୁଦାୟ ୧୧୭୫ ଜଣ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି । ୨୯୫ଟି ଅଗ୍ନିନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୦୦ଟି ସ୍ଥାନରେ ସ୍ଥାନୀୟ ଲୋକମାନଙ୍କୁ ସାମିଲ କରି ସଚେତନତା ସୃଷ୍ଟି କରାଯାଉଛି । ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ଅଗ୍ନି ରୋକିବା ଏବଂ ଏହାକୁ ବ୍ୟାପିବାକୁ ନଦେବା ଉଦ୍ଦେଶ୍ୟରେ ୩୫୯୧ କିଲୋମିଟର ଫାୟାର ଲାଇନ୍ ସୃଷ୍ଟି କରାଯାଇଛି ଏବଂ ୪୦ଟି ନିଆଁଲିଭା ଗାଡ଼ି ବ୍ୟବହାର କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ‘ଅଗ୍ନି ଋତୁ’ ଆରମ୍ଭ ହେବା ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ଅଞ୍ଚଳରେ ୨ କୋଟି ୧୪ ଲକ୍ଷ ଟଙ୍କା ଦିଆଯାଇଛି । ଗତ ମାର୍ଚ୍ଚ ୩, ୨୦୨୧ରିଖ ଦିନ ଅତିରିକ୍ତ ମ୍ୟାନ୍ ପାୱାର ଓ ଯନ୍ତ୍ରାଦି ପାଇଁ ୧୪ ଲକ୍ଷ ଟଙ୍କା ଦିଆଯାଇଛି । ଅଗ୍ନି ନିର୍ବାପନ ପାଇଁ ସମୁଦାୟ ୨ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୭ ଜଣ ସହ ବନ ସଂରକ୍ଷକ (ଏସିଏଫ୍)ଙ୍କୁ ଏଥିପାଇଁ ଶିମିଳିପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ନୋଡାଲ ଅଫିସର ରୂପେ ନିୟୋଜିତ କରାଯାଇଛି ।





