ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାର ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହା ପରେ ବୈଠକର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଲେ ଯେ, ଆମକୁ ପରିଚୟ ଦେଇଥିବା ମନିଷୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଆଜି ଜୟନ୍ତୀ ପାଳନରେ ଶିକ୍ଷା ବିନା ସବୁ ଅନ୍ଧାର ଏ କଥା ସେ ହୃଦୟଙ୍ଗମ କରିପାରିଥିଲେ ଏବଂ ବହୁ ସ୍କୁଲ, କଲେଜ ପ୍ରତିଷ୍ଠା କରିଥିଲେ । ସେତେବେଳେ ଏକମାତ୍ର ପ୍ରୋଭିନସ୍ ଥିଲା ଯେଉଁଠାରେ ମାଗଣାରେ ଖାଇବା, ପଢ଼ିବା ପାଇଁ ସୁଯୋଗ ଦିଆଯାଉଥିଲା । ବାଣୀବିହାର ଅନୁଷ୍ଠାନ ପାଇଁ ସେ ତାଙ୍କର ନିଜ ଅର୍ଥଦାନ କରିଥିଲେ । ଜାତିପ୍ରୀତି ଦେଶପ୍ରୀତିରେ ଉଦ୍ବୁଦ୍ଧ ହୋଇ ଇଂରେଜ୍ ସରକାରଙ୍କୁ ପ୍ରଭାବିତ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଦାବି କରିଥିଲେ । ସେହିପରି ସାମ୍ବାଦିକ ରାମକୃଷ୍ଣ ରଥ,ରଜତ କୁମାର ପଟ୍ଟନାୟକ ତାଙ୍କର ବକ୍ତବ୍ୟ ରଖିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମର ମାଲ୍ଲିକ ତାଙ୍କ ବକ୍ତବ୍ୟରେ କହିଲେ, ଇତିହାସକୁ ଜାଣିବା ଆମର ଓଡ଼ିଆ ଅସ୍ମିତା, ସଂକ୍ଷିପ୍ତ ଇତିହାସ ଜାଣିଲେ ଓଡ଼ିଆର ଅସ୍ମିତା ରହିବ । ଶିକ୍ଷକ ଶରତ ଆଚାର୍ଯ୍ୟ ତଦନୁଯାୟୀ ତାଙ୍କର ବକ୍ତବ୍ୟ ରଖିଥିଲେ । ଶେଷରେ ଧନ୍ୟବାଦ ପ୍ରଦାନ କରାଯାଇ ସଭା ସାଙ୍ଗ କରାଯାଇଥିଲା ।





