ଭବାନୀପାଟଣା, (ବାଘୁଆବାର୍ତ୍ତା): ଭବାନୀପାଟଣା ସହରରେ ଦିନ ଦ୍ଵିପ୍ରହରରେ ଡକାୟତି। ଲଙ୍କା ଗୁଣ୍ଡ ସହ ବୋମା ପକାଇ ଟଙ୍କା ବ୍ୟାଗ୍ ଝାମ୍ପି ନେବାକୁ ଉଦ୍ୟମ କଲେ ୩ ଡକାୟତ। ଗ୍ରାମବାସୀ ଜଣେ ଲୁଟେରାକୁ କାବୁ କରିଥିବା ବେଳେ ଆଉ ୨ ଜଣ ଫେରାର୍ ହୋଇଯାଇଛନ୍ତି। ସୂଚନାନୁଯାୟୀ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନୀପୁର ଗ୍ରାମର ନରେଶ ସାହୁ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିଲେ। ମହାବୀରପଡା ନିକଟରେ ଗୋଟିଏ ଦୋକାନରେ ଥଣ୍ଡା ପିଇବା ପାଇଁ ଅଟକି ଥିଲେ। ଏତିକି ବେଳେ ତିନି ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ତାଙ୍କ ଉପରକୁ ଲଙ୍କା ଗୁଣ୍ଡ ସହିତ ଗୋଟିଏ ବୋମା ଫିଙ୍ଗି ଦେଇଥିଲେ। ନରେଶଙ୍କ ଠାରୁ ଟଙ୍କା ବ୍ୟାଗ୍ ଝାମ୍ପିବା ପାଇଁ ଚେଷ୍ଟା କରୁଥିଲେ। ବୋମା ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ। ଫଳରେ ଦୁର୍ବୃତ୍ତମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଗ୍ରାମବାସୀମାନେ ଜଣକୁ କାବୁ କରିଥିବା ବେଳେ ଦୁଇ ଜଣ ଫେରାର୍ ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଧରିବା ପାଇଁ ସଦର ଏସଡିପିଓ ଛାନଭିନ୍ ଚଳାଇଥିବା କହିଛନ୍ତି।






