ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୁଲିସ ଆଜି ଏକ ବଡ଼ ଧରଣର ରେଡ କରିଛି । ଦୀର୍ଘଦିନ ଧରି ବେଆଇନ ଭାବେ ଅପମିଶ୍ରିତ ଚୋରା ଡିଜେଲ ଓ ପ୍ରେଟୋଲ ବ୍ୟବସାୟ ହେଉଥିବା ଗୋଦାମ ଉପରେ ଚଢ଼ାଉ କରିଛି । ଏହି ଚଢ଼ାଉରେ ୧୬ ଶହ ଲିଟର ଡିଜେଲ ଜବତ କରାଯାଇଛି । ଇଟାମାଟି ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମର ତେଲ ମାଫିଆ ସୁଶାନ୍ତ କୁମାର ମଲ୍ଲ ଦୀର୍ଘଦିନ ଧରି ବେଆଇନ ଅପମିଶ୍ରିତ ଡିଜେଲ ଓ ପ୍ରେଟୋଲ କାରବାର କରୁଥିଲେ । ଆଜି ଏକ ଅଟୋ ଯୋଗେ ଡିଜେଲ ଚାଲାଣ ହେଉଥିବା ଖବର ପାଇ ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ନିର୍ଦ୍ଦେଶରେ ଏକ ଟିମ ଚଢ଼ାଉ କରିଥିଲା । ଉକ୍ତ ଡିଜେଲ ବୋଝେଇ ଅଟୋକୁ ଜବତ କରିବା ସହ ଏକ ଗୋଦାମରେ ଚଢ଼ାଉ କରାଯାଇଥିଲା । ସେଠାରୁ ବ୍ୟାରେଲ ବ୍ୟାରେଲ ଡିଜେଲ ଜବତ କରାଯାଇଛି । ଜବତ ଡିଜେଲ ପରିମାଣ ୧୬ ଶହ ଲିଟରରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ଏହାକୁ ନେଇ ଏକ ମାମଲା ରୁଜୁ ପରେ ସୁଶାନ୍ତ କୁମାର ମଲ୍ଲ ଏବଂ ବିପିନ ମହାନ୍ତିଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।





