ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରୋଜିନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତରୁଣ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ ଓଡ଼ିଶାକୁ ଏକାଠି କରି ରଖିବା ଦାୟିତ୍ଵ ଆମ ସମସ୍ତଙ୍କର ବୋଲି କହିଥିଲେ। ୨୦୩୬ରେ ଓଡ଼ିଶା ଶହେ ବର୍ଷ ଅତିକ୍ରମ କରିବାକୁ ଯାଉଥିବା ବେଳେ ବିଭାଜନ ସ୍ୱର କାହିଁକି ଉଠୁଛି। ସମ୍ବଲପୁର ମହାମନିଷୀମାନେ ଓଡ଼ିଶାକୁ ଭାଷା ଭିତ୍ତିକ ରାଜ୍ୟ ଗଠନ ଦିଗରେ ପ୍ରଥମେ ଆଗକୁ ଆସିଥିଲେ। ହୀନ ମନ୍ୟତାକୁ ପରିତ୍ୟାଗ କରି ଆଗକୁ ବଢ଼ିବାକୁ ହେବ ବୋଲି କହିଥିଲେ। ମାଟି ମା’ ର ସେବା କରିବାକୁ ଉଦ୍ୟମ କରିବା ଆବଶ୍ୟକ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ।

ଗୋଟିଏ ଗାଁର ବିକାଶରୁ ରାଜ୍ୟର ବିକାଶ ଆରମ୍ଭ ହୋଇଥାଏ ବୋଲି ଦଶପଲ୍ଲା ବିଧାୟକ କହିବା ସହ ଏଥିପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଆଜିର ଦିବସ ପାଳନ କରିବାର ଉଦ୍ଦେଶ୍ୟ ଭବିଷ୍ୟତ ପୀଢ଼ିକୁ ଜାଗ୍ରତ କରିବା ବୋଲି ମୁଖ୍ୟ ଅତିଥି କହିଥିଲେ। ଇତିହାସରେ ହିଁ ଭବିଷ୍ୟତର ମାର୍ଗ ଲୁଚି ରହିଛି। ଆମ ଓଡ଼ିଶା କଳା, ସଂସ୍କୃତି ଓ ଭାଷା ଭିତ୍ତିକ ବୋଲି କହିଥିଲେ। ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।






